Odisha news

ମା’ ତାରିଣୀଙ୍କ ୮୭ତମ ପ୍ରସିଦ୍ଧ ଚଇତି ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’

0

ଘଟଗାଁ,୯/୨୩-କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି । ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋଡ ପକ୍ଷରୁ ପାଳିତ ହେଉଛି ମାଙ୍କ ଏହି ଚଇତି ପର୍ବ। ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଚଇତି ପର୍ବ ୧୫ ତାରିଖରେ ଶେଷ ହେବ । ସାତ ଦିନ ବ୍ୟାପୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ତାରିଣୀ । ଆଜି ସକାଳୁ ମା’ଙ୍କ ପୀଠରେ ମା’ଙ୍କ ମାଜଣା, ମଙ୍ଗଳ ଆଳତୀ, ସୁନାବେଶ, ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ ଓ ସତ୍ୟ ନାରାୟଣ ପୂଜା ଆଦି ଅନୁଷ୍ଠିତ ହୋଇଛି । ଚଇତି ପର୍ବରେ ମା’ଙ୍କ ସୁନାବେଶ ଦର୍ଶନ ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଅନ୍ୟପଟେ ଦେବୋତ୍ତର କମିଶନର ଶିଶିର କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ମଣ୍ଡପକୁ ଉଦ୍ଘାଟନ କରିଥିବା ବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଉପସ୍ଥିତ ରହିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ମା ତାରିଣୀ ନୃତ୍ୟ ଶିକ୍ଷ୍ୟା କେନ୍ଦ୍ର ଘଟଗାଁ,ଦ୍ୱିତୀୟ ପର୍ଯ୍ୟାୟରେ ସ୍ଵର ସାଧନା ଭଦ୍ରକ,ତୃତୀୟ ପର୍ଯ୍ୟାୟରେ ମା ତାରିଣୀ ସ୍ଵର ସଙ୍ଗୀତ ଘଟଗାଁ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହା ଲୋକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିବାରେ ବେଶ ସକ୍ଷମ ହୋଇଥିଲା । ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାରେ ମା’ଙ୍କ ଦର୍ଶନ କରିବେ ସେଥିପାଇଁ ପୋଲିସ ମୁତୟନ ହୋଇଛନ୍ତି । ଚଇତି ପର୍ବରେ ମାଙ୍କ ସୁନାବେଶ ଖୁବ ମନଲୋଭା ତେବେ ଏହି ଦିନ ଗୁଡିକରେ ମା’ଙ୍କୁ ସୁନାବେଶରେ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ଖରାକୁ ମୁକାବିଲା ସହ ଶାନ୍ତିଶୃଙ୍ଖଳା ପାଇଁ ନିଆ ଯାଇଛି ପଦକ୍ଷେପ । ଏଥି ସହିତ ଚଳିତ ବର୍ଷ ମା’ଙ୍କ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରାଯାଉଛି । ବ୍ରହ୍ମପୁର ଅଞ୍ଚଳର ସୌଭାଗ୍ୟରତ୍ନ ସାହୁ ପରିବାର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ଏଥି ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତରଭୁଜ, ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ସମୟରେ ଦୀପ ଦାନ ଗାୟତ୍ରୀ ପରିବାର ପକ୍ଷରୁ ପ୍ରବଚକ କାର୍ଯ୍ୟକ୍ରମ ଓ ରାତ୍ରୀରେ ବାଦି ପାଲା ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳାରେ ଦର୍ଶନ, ମନ୍ଦିରର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶ୍ରମ ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ସଂଗଠନ ମୁତୟନ ହୋଇଥିଲେ ।

Leave A Reply