କେନ୍ଦୁଝର : ସାଧାରଣ ନିର୍ବାଚନରେ ଜିଲ୍ଲାର ହେଭିଓ୍ୱେଟ୍ ନେତା ତଥା କଂଗ୍ରେସର ଓଡ଼ିଶା ମୁଖିଆ ନିରଞ୍ଜନ ପଟ୍ଟନାୟକ ଘଷିପୁରା ବିଧାନସଭା ଆସନରୁ ପ୍ରାର୍ଥୀ ହେବାପରେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦୀ, ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ନବୀନ ପଟ୍ଟନାୟକ ନିଜର ପ୍ରତ୍ୟାଶୀ ରୂପେ ଘଷିପୁରାରେ ଅବତୀର୍ଣ୍ଣ କରାଇଥିଲେ । ସାଂଗଠନିକ ଦୃଷ୍ଟିରୁ ଜିଲ୍ଲାର ତୃଣମୂଳ ସ୍ତରରେ ବଦ୍ରି ହିଁ ସର୍ବାପେକ୍ଷା ଜନଗୃହୀତ ନେତା ଭାବେ ବିଗତ ତିନି ଦଶନ୍ଧି ଧରି ପ୍ରମାଣିତ ହୋଇଆସୁଛନ୍ତି । ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ଆହ୍ୱାନରେ ଅଧ୍ୟାପନାରୁ ସିଧା ବିଧାନସଭାକୁ ଯିବାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ମେଣ୍ଟ ଅମଳରେ, ୨୦୦୦ ମସିହା ନିର୍ବାଚନରେ ଏହି ଆସନ ବିଜେପି ଭାଗରେ ପଡ଼ିଲା ଓ ନିରଞ୍ଜନଙ୍କ ସହ ଜିଲ୍ଲାର ଜଣେ ଧନାଢ୍ୟ କଣ୍ଟ୍ରାକ୍ଟର୍ ବିଜେପି ପ୍ରାର୍ଥୀ ହୋଇଥିଲେହେଁ ସାଧାରଣ ଲୋକେ ବଦ୍ରିଙ୍କୁ ସ୍ବାଧୀନ ଭାବେ ଛିଡ଼ା କରାଇ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ବଦ୍ରି ବାବୁଙ୍କ ରୂପରେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ବିଧାନସଭାକୁ ପଠାଇ ଇତିହାସ ସୃଷ୍ଟି କଲେ । ନିର୍ବାଚିତ ହେବା ଦିନଠାରୁ ୨୦୦୪ ମମସିହରେ ବିଧାନସଭା ଭଙ୍ଗ ହେବା ପର୍ଯ୍ୟନ୍ତ ସେ ଗୃହରେ ବିଜେଡିର ସହୋଯୋଗୀ ସଦସ୍ୟ (ଆଟାଚଡ୍ ମେମ୍ବର୍) ଭାବେ କାର୍ଯ୍ୟ କରିଥିଲେ । ୨୦୦୪ ନିର୍ବାଚନରେ ମଧ୍ୟ ଚଞ୍ଚକତା ପୂର୍ବକ ଏହି ସିଟକୁ ବିଜେପି ନିଜ ଭାଗକୁ ନେଇ ପ୍ରାର୍ଥୀ ଦେଲେ । ପୁନର୍ବାର ଲୋକେ ବଦ୍ରିଙ୍କୁ ଉଡାଜାହାଜ ଚିହ୍ନରେ ବିପୁଳ ଭୋଟ୍ ଦେଇଥିଲେ ହେଁ ଜନୈକ ଲୋକସଭା ପ୍ରାର୍ଥୀଙ୍କର ମଧ୍ୟ ଉଡାଜାହାଜ ଚିହ୍ନ ଥିବାରୁ ବଦ୍ରିଙ୍କର ଅନେକ ଭୋଟର୍ ଭୁଲରେ ଲୋକସଭା ପ୍ରାର୍ଥୀଙ୍କ ଉଡାଜାହାଜ ଚିହ୍ନରେ ଭୋଟ୍ ଦେଇଦେବାରୁ ମାତ୍ର ୨୦୦/୩୦୦ ଭୋଟରେ ନିରଞ୍ଜନ ପଟ୍ଟନାୟକ କଷ୍ଟେମଷ୍ଟେ ଜିତିଗଲେ । ହେଲେ ୨୦୦୯ ମସିହାରେ ନବୀନଙ୍କ ପ୍ରାର୍ଥୀ ହେବା ଦିନଠାରୁ ଏ’ ପର୍ଯ୍ୟନ୍ତ ଆଉ ପରାଜୟର ମୁହଁ ଦେଖିବାକୁ ପଡ଼ିନାହିଁ ବଦ୍ରି ବାବୁଙ୍କୁ । ନବୀନ ବାବୁଙ୍କ ଆଶିର୍ବାଦରେ ଦୁଇ ଥରର ମନ୍ତ୍ରୀତ୍ୱ କାଳ ଭିତରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ବଦ୍ରି ବାବୁ ସମଗ୍ର ଜିଲ୍ଲାରେ ନବୀନ୍ ବାବୁଙ୍କ ସହ ବିଜେଡିର ଛବିକୁ ସମୁଜ୍ଜଳ କରିବାରେ ସକ୍ଷମ ହୋଇପାରିଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ପରିବାରର କେନ୍ଦୁଝର ଦଖଲ ମୋହକୁ ଧୂଳିସାତ କରିବା ପଛରେ ନବୀନ ପଟ୍ଟନାୟକଙ୍କ କ୍ରେଜ୍ ସବୁଠୁ ଅଧିକ ପ୍ରଭାବଶାଳୀ ‘ଫ୍ୟାକ୍ଟର୍’ ହୋଇଥିଲେ ମଧ୍ୟ ବଦ୍ରି ବାବୁଙ୍କ ସାଂଗଠନିକ ଦକ୍ଷତା, ଅଗାଧ ପରିଶ୍ରମ ଓ ସଚ୍ଚୋଟ ଆଭିମୁଖ୍ୟ ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ସାଧାରଣ ଜୀବନରେ ପାଦ ଦେବା ପୂର୍ବରୁ ଆଜି ପର୍ଯ୍ୟନ୍ତ ସେ କେବେବି ବିଜୁ ପଟ୍ଟନାୟକଙ୍କ ପରିବାରକୁ ଛାଡିନଥିବାରୁ ଜଣେ ସଚ୍ଚା ବିଜୁ ଭକ୍ତ ଓ ବିଜୁ ବାବୁଙ୍କ ଅବର୍ତ୍ତମାନରେ ସଚ୍ଚା ନବୀନ ଅନୁରାଗୀ ହିସାବରେ ବଦ୍ରି ବାବୁ ସାରା ଜିଲ୍ଲାରେ ଏକ ସ୍ୱତନ୍ତ୍ର ସମ୍ମାନ ପାଉଥିବାର ଦେଖାଯାଇଥାଏ । ୨୦୧୯ରେ ବହୁ ଭୋଟରେ ପିସିସି ମୁଖିଆ ନିରଞ୍ଜନଙ୍କୁ ମାତ୍ ଦେବାପରେ ରାଜ୍ୟ କ୍ୟାବିନେଟରେ ବଦ୍ରିଙ୍କ ଅନୁପସ୍ଥିତି ଜିଲ୍ଲାରେ ବିସ୍ମୟ ସୃଷ୍ଟି କରିଥିଲା । ସାମାନ୍ୟ ଶାରୀରିକ ଅସୁସ୍ଥତା ହେତୁ ବ୍ୟକ୍ତିଗତ ଭାବେ ବଦ୍ରି ବାବୁ ଏତେଟା ପରିଶ୍ରମ କରିନପାରିଥିଲେ ମଧ୍ୟ ସଦ୍ୟ ସମାପ୍ତ ପଞ୍ଚାୟତ ଓ ପୈାର ଭୋଟରେ ନିଜ ନିର୍ବାଚନ ମଣ୍ଡଳୀ ଓ ସନ୍ନିକଟବର୍ତ୍ତୀ ଅଞ୍ଚଳରେ ଦଳ ପାଇଁ ବେଶ୍ ଭଲ ଫଳାଫଳ ଆଣିପାରିଥିବା କଥା ସଂପ୍ରତି କେନ୍ଦୁଝର ଜିଲ୍ଲାରେ ପ୍ରମୁଖ ଆଲୋଚନାର ବିଷୟବସ୍ତୁ ହୋଇଛି । ଅତିଏବ୍, ରାଜ୍ୟ କ୍ୟାବିନେଟର ସମ୍ଭାବ୍ୟ ଅଦଳବଦଳ ସମୟରେ କେନ୍ଦୁଝର ଜନସାଧାରଣଙ୍କ ଭାବାବେଗକୁ ବିଚାରକୁ ନେଇ ବଦ୍ରି ବାବୁଙ୍କୁ ନବୀନ ବାବୁ ପୁନଶ୍ଚ ମନ୍ତ୍ରୀ କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।
