ଆନନ୍ଦପୁର : ଖଣିଜ ଓ ବଣ୍ଯ ସମ୍ପଦରେ ଭରପୁର କେଉଁଝର ଜିଲ୍ଲା, ଆଦିମ ଅନନ୍ତ କାଳରୁ ଅବହେଳିତ ହୋଇଆସୁଥିଲା। ଉଣେଇଶ’ ଅଶୀ ଦଶକରୁ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ପରି ଆଉ ଏକ ଦେଶୀୟ କମ୍ପାନୀ ହାତରେ ପଡ଼ି ବଣ ଜଙ୍ଗଲ ବେଷ୍ଟିତ ଏହି ଜିଲ୍ଲାଟି ଏକ ନିର୍ଦ୍ଦିଷ୍ଟ ପରିବାର ଦ୍ୱାରା ଲୁଣ୍ଠିତ ହୋଇ ଆସୁଥିଲା ସମୟରେ ବଦ୍ରିନାରାୟଣ ପାତ୍ର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅଧ୍ୟାପନାରୁ ଅବ୍ୟାହତି ନେଇ ବେପାରୀଙ୍କ କବଳରୁ ଜିଲ୍ଲାକୁ ରକ୍ଷା କରିଥିଲେ ।
ପରବର୍ତ୍ତୀ କାଳରେ ନିଜ ମନ୍ତ୍ରୀତ୍ୱ ଅବଧିରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଇତ୍ୟାଦି ସବୁ କ୍ଷେତ୍ରରେ ବଦ୍ରିନାରାୟଣଙ୍କ ଐକାନ୍ତିକ ଉଦ୍ୟମ ହିଁ ଏହି ଜିଲ୍ଲାକୁ ରାଜ୍ୟରେ ଅଗ୍ରଣୀ କରାଇପାରିଛି । ରାଜ୍ୟ ଗୃହ ଓ ଶକ୍ତି ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହିଭଳି ଭାବରେ ବର୍ଣ୍ଣନା କରି ନିଜ କେଉଁଝର ଗସ୍ତ ସମୟରେ ବଦ୍ରିନାରାୟଣ ପାତ୍ରଙ୍କୁ ଜିଲ୍ଲାର ବିଶ୍ୱକର୍ମା ରୂପେ ଅଭିହିତ କରିଛନ୍ତି । ଗତ ସାଧାରଣତନ୍ତ୍ର ଦିବସର ଜିଲ୍ଲା ସ୍ତରୀୟ ପରେଡରେ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ମିଶ୍ର ଯୋଗ ଦେଇଥିଲେ। ସେ ବିଜେଡ଼ିର କେଉଁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡପଦନା ଓ ଘଟଗାଁ ଠାରେ ସମସ୍ତ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ ସ୍ଥାନୀୟ କର୍ମୀଙ୍କ ସହ ସଂଗଠନ ସମ୍ପର୍କରେ ଆଲୋଚନା କରିଥିବାର ଜଣାପଡ଼ିଛି ।
ମନ୍ତ୍ରୀଙ୍କ କେଉଁଝର ଗସ୍ତ ପ୍ରାରମ୍ଭରେ ଜିଲ୍ଲାର ସୀମାନ୍ତ ଜର୍ଦ୍ଦା ଚେକଗେଟ୍ ନିକଟରୁ ବିଜେଡ଼ି ଘଷିପୁରା ବ୍ଲକ୍ ସଭାପତି ବୁବୁଲା ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ମୋ’ ପରିବାର ଜିଲ୍ଲା ସଂଯୋଜକ ଟୁଲୁ ସାହୁ, ଯୁବନେତା ବାବନ ସାହୁ, ବିଭାସ ନାୟକ, ବାପି ଭୂୟାଁ, ସିନୁ ଭୋଇ ପ୍ରମୁଖଙ୍କ ନେତୃତ୍ବରେ ଏକ ବିଶାଳ ପଟୁଆରରେ ହଜାର ହଜାର ଦଳୀୟ କର୍ମୀବୃନ୍ଦ ତାଙ୍କୁ ଜିଲ୍ଲାକୁ ସ୍ୱାଗତ କରି ପାଛୋଟି ନେଇଥିଲେ । ବଡପଦନା ଛକଠାରେ ଜିଲ୍ଲାର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ।
ସେଠାରେ ମନ୍ତ୍ରୀ, ସମବେତ କର୍ମୀଙ୍କୁ ଉଦବୋଧନ ଦେଇ କେଉଁଝର ଗଡ଼ ପ୍ରଦକ୍ଷିଣ ଗୃହରେ ରାତ୍ରିଯାପନ କରି ଛବିଶି ତାରିଖରେ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରେ ସେ ଘଟଗାଁ ଆସି ମା’ ତାରିଣୀଙ୍କୁ ପୂଜାର୍ଚ୍ଚନା କରି ଡ଼ାକବଙ୍ଗଳାଠାରେ ସ୍ଥାନୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଯୁବନେତା ଟୁଟୁ ପାତ୍ରଙ୍କ ନେତୃତ୍ବରେ ସୀକନ୍ ପାଢ଼ୀ, କିଶୋର ଜେନା ଇତ୍ୟାଦି ବହୁ ନେତୃବୃନ୍ଦ ମନ୍ତ୍ରୀଙ୍କ ସହ ଜିଲ୍ଲାର ସାମଗ୍ରିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିବାର ସୁଚନା ମିଳିଛି ।