ମହାକାଳପଡ଼ା:ଲକ୍ ଡ଼ାଉନ୍ ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ସୋସିଆଲ ମିଡ଼ିଆରେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ
ମହାକାଳପଡ଼ା 27.03: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକର ବିଭିନ୍ନ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟରେ ଫସି ରହିଛନ୍ତି । ୭ ଦିନ ହେବ କମ୍ପାନୀ ବନ୍ଦ ହୋଇଯିବା ଫଳରେ ସେମାନଙ୍କ ଖାଦ୍ୟ ପାନୀୟରେ ଘୋର ଅସୁବିଧା ଦେଖାଦେଇଛି । ଯାହା ପାଇଁ ଶ୍ରମିକମାନେ ସେଠାରେ ଦୁର୍ଦ୍ଦଶା ଭୋଗୁଛନ୍ତି । ବ୍ଳକର ଆଡ଼ୋଇ, କୁମାରପଡ଼ା, ଛେଡ଼ାକଣି, ବରକନ୍ଦା ଓ ନୂଆ କଲୋନୀ ଅଂଚଳର ବହୁ ଶ୍ରମିକ ଉଦ୍ଧାର ପାଇଁ ଏବେ ରାଜ୍ୟ ସରକାରଙ୍କ ନିକଟରେ ବିନୀତ ପ୍ରାର୍ଥନା କରିଛନ୍ତି ।
ସେମାନଙ୍କ କହିବା କଥା ୭ ଦିନ ହେବ କମ୍ପାନୀ ବନ୍ଦ ହୋଇଗଲାଣି । ଘରକୁ ଯିବାକୁ ଗାଡ଼ି ବନ୍ଦ । ଏଣେ ପାଖରେ ପଇସା ସରିଗଲାଣି । ତିନିଦିନ ହେବ ଚୁଡ଼ା ମୁଠା ମୁଠା ଖାଇ ଆମେ ବଂଚିଛୁ । ଆମର ଏହି ଦୁର୍ଦ୍ଦିନ ସମୟରେ ଆମକୁ ଉଦ୍ଧାର କରାଯାଉ ବୋଲି ସୋସିଆଲ ମିଡ଼ିଆ ମାଧ୍ୟମରେ ରାମନଗର ପଂଚାୟତ ବିବୀ କଲୋନୀ ଗ୍ରାମର ଯୁବକ ମାନେ ମହାରଷ୍ଟ୍ରର କୁର୍ଲା ଜିଲ୍ଲାର ସାକିନାକା ଓ ହାଇଦ୍ରାବାଦର ମାଧପୁର ଅଂଚଳରେ ଏମାନେ ଫସି ରହିଛନ୍ତି ବୋଲି ନିବେଦନ କରିଛନ୍ତି । ଠିକାଦାର ମାନେ ଏମାନଙ୍କୁ କାମ ଦେବା ପାଇଁ ସାଙ୍ଗରେ ନେଇ ପ୍ରଚୁର ଫାଇଦା ପାଉଥିବା ବେଳେ ଅସୁବିଧା ବେଳେ ଏମାନେ ଦେଖାନଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି ।