କେନ୍ଦ୍ରାପଡା,୨ା୧୦ (ରବୀନ୍ଦ୍ର ଦାଶ ): ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଶୁକ୍ରବାର ସାମ୍ବାଦିକ ଆଶିଷ ସେନାପତିଙ୍କ ଦ୍ୱାରା ରଚିତ ପୁସ୍ତକ “ମହାତ୍ମାଗାନ୍ଧୀ ଫେରିଆସିଲେ” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ରାଜ ସିଂ,ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ବାସୁଦେବ ଦାସ, କବୟତ୍ରୀ ଅବନ୍ତୀ ବେହେରା ଓ ପୁସ୍ତକ ରଚନା କରିଥିବା ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀ ଫେରିଆସିଲେ ପୁସ୍ତକକୁ ଉନ୍ମୋଚନ କରିଥିଲେ ।
ଆଜି ଯେତେ ବେଳେ ଦେଶରେ ଗାନ୍ଧୀବାଦ ଓ ମାନବବାଦ ଧ୍ୱଂସ ହେବାକୁ ଯାଉଛି ସେତେବେଳେ ଯେଉଁ କିଛି ବ୍ୟକ୍ତି ଏହି ନୀତି ଉପରେ ଜୀବନ ବ୍ୟାପି କାର୍ଯ୍ୟ କରି ସଂସାରରୁ ବିଦାୟ ନେଇଛନ୍ତି ଏବଂ କାର୍ଯ୍ୟ କରୁଛନ୍ତି ସେହିମାନଙ୍କ ଉଦେ୍ଦଶ୍ୟରେ ଏହି ପୁସ୍ତକ ରଚନା କରାଯାଇଛି ବୋଲି ଲେଖକ ଶ୍ରୀ ସେନାପତି ମତବ୍ୟକ୍ତ କରିଥିଲେ । ଦେଶର ଦୁର୍ନିତୀ. ଅନୀତି ବଢିଚାଲିଥିବା ଓ ଗାନ୍ଧୀବାଦର କରୁଣ ସ୍ଥିତି ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି । ଲେଖର ଶ୍ରୀ ସେନାପତି ପୂର୍ବରୁ ପୁରସ୍କାର ଓ ପାନବରଜ ଭଳି ବାସ୍ତବ ଧର୍ମୀ ଦୁଇଟି ପୁସ୍ତକ ଲେଖି ପ୍ରସଂଶିତ ହୋଇଛନ୍ତି । ତୃତୀୟ ପୁସ୍ତକଭାବେ ମହାତ୍ମାଗାନ୍ଧୀ ଫେରିଆସିଲେ ଏକ ସ୍ୱତନ୍ତ୍ର ଚେତନା ଧର୍ମୀ ଓ ଐତିହାସିକ ପୃଷ୍ଠଭୂମୀ ଉପରେ ପର୍ଯ୍ୟବେସିତ ପୁସ୍ତକ ଅଟେ ।
