କେନ୍ଦ୍ରାପଡା : ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଚଳିତ ବର୍ଷର ରଥଯାତ୍ରା ବନ୍ଦ ରହି ଥିବାବେଳେ କେନ୍ଦ୍ରାପଡାର ପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥ ଅଧା ନିର୍ମାଣ ହୋଇ ବନ୍ଦ ରହିଛି । ତେବେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କୈାଣସି ନିଦେ୍ର୍ଦଶ ନଥିବା ବେଳେ ମନ୍ଦିର ପ୍ରଶାସନ ଏହି ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିଛି । ଅଧା ଗଢା ରଥ ଏକ ଅଶୁଭ ସଂକେତ ବହନ କରୁଥିବା ବେଳେ ଏହାକୁ ସଂପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅପର ପକ୍ଷରେ ରଥ ଗଢା ହେବା ପରେ ଏହା ମଧ୍ୟ ପୂଜା ହେବା , ହେରା ପଂଚମୀରେ ରଥ ଭଙ୍ଗା ନୀତି ଥିବାବେଳେ ଏହାକୁ ଅଧା ଗଢା କରି ରଖିବା ସ୍ଥାନୀୟ ଲୋକେ ବିରୁଦ୍ଧ କରିଛନ୍ତି ।
ଫଳରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ସମ୍ବଦ୍ଧୀୟ ଏକ ବୈଠକ ଶନିବାର ପୂର୍ବାହ୍ନରେ ଉପ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ସଭାପତି ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ସମୟରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଁଚି ମୁହାଁମୁହିଁ ହୋଇଥିଲେ । ରଥ ନିର୍ମାଣ କାର୍ଯ୍ୟ ଚାଲୁ କରିବା ନିମନ୍ତେ ଏକ ସ୍ମାରକ ପତ୍ର ଉପ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକମାନେ କାଳି ପ୍ରସାଦ ମିଶ୍ର, ସତ୍ୟ ରଞ୍ଜନ ସୁଆର, ରବିନ୍ଦ୍ର ଦାସ, ଦୁର୍ଗା ପ୍ରସାଦ ପତୀ, ନିରଞ୍ଜନ ସୁଆର , ଅରବିନ୍ଦ ସାହୁ ପ୍ରମୁଖ ଶତାଧିକ ବ୍ୟକ୍ତି ଦାବି ପତ୍ର ପ୍ରଦାନ କରିଛନ୍ତି ।