କେନ୍ଦ୍ରାପଡା ୧୨/୯ ( ରବୀନ୍ଦ୍ର ଦାଶ )- ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ସର୍ବସାଧାରଣ ରାସ୍ତାରେ ଉଲଗ୍ନ କରିବା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପୋଲିସର ଉଦାସୀନତା ପ୍ରତିବାଦରେ ଶୁକ୍ରବାର ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣାରେ ବସିଥିଲେ ।

ପୂର୍ବରୁ ଏହି ଥାନା ବିରୋଧରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ବି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଥାନା ବିରୋଧରେ ହୋଇଆସୁଥିବା ଦେଖିବାକୁ ମିଳିଛି । ଅଭିଯୋଗରୁ ପ୍ରକାଶ ଯେ , ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଜନୈକ ମହିଳାଙ୍କୁ ସେହି ଗ୍ରାମର ସମ୍ବିତ କୁମାର ସ୍ୱାଇଁ ନାମକ ଯୁବକ ଯେକି ମହିଳାଙ୍କର ହିସାବରେ ପୁତୁରା ହେବ ପୂର୍ବରୁ ସଂପୃକ୍ତ ମହିଳାଙ୍କୁ ବିଭିନ୍ନ ହଇରାଣ ହରକତ କରିଆସୁଥିବା ବେଳେ ବିଭିନ୍ନ ସମୟରେ ଅଶ୍ଳିଳ ଇଙ୍ଗିତ ମଧ୍ୟ ପ୍ରଦର୍ଶନ କରୁଥିଲେ । ଶାଶୁଘର ଲୋକେ ମଧ୍ୟ ଜମିବାଡି ବିବାଦକୁ ନେଇ ମାଡଗାଳି ଦେବା ସହିତ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି ।

ଏପରିକି ଘରେ କେହି ନଥିବା ସମୟରେ ପୁତୁରା ସମ୍ବିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ମହିଳା ଜଣଙ୍କ ବଡ ପାଟିକରି ଡାକପକାଇବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତା ଉପରକୁ ଘୋଷାଡି ନେଇ ଉଲଗ୍ନ କରି ସର୍ବସମ୍ମୁଖରେ ମାଡ ମାରିବା ଓ ଆଶାଳିନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଜାଣିବା ପରେ ଅଭିଯୁକ୍ତ ସମ୍ବିତଙ୍କୁ ପଚାରିଥିଲେ । ଫଳରେ ସମ୍ବିତ ଓ ତାଙ୍କ ବାପା,ମା ଏବଂ ପରିବାରର ସମସ୍ତ ସଦସ୍ୟ ସେମାନଙ୍କୁ ଗାଳି ଗୁଲଜ କରି ମାଡମାରିବା ସହ ମାଡମାରି ଗୋଡ ଭାଙ୍ଗି ଦେଇଥିଲେ । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ବି ଘଟଣାର ୨ମାସ ପରେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଦ୍ୱାରା ଶେଷରେ ନିରାଶ ହୋଇ ଅଭିଯୋଗକାରିଣୀଙ୍କ ୨ଟି ପିଲାଙ୍କ ସହିତ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଧାରଣାକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ପଟ୍ଟାମୁଣ୍ଡାଇ ଥାନାକୁ ପଠାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here