କେନ୍ଦ୍ରାପଡା , ୦୨/୯ ( ରବୀନ୍ଦ୍ର ଦାଶ ) – ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନମ୍ବର(କ) ଜାତୀୟ ରାଜପଥର ହଳଦିଆଗଡା ନିକଟରେ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଏକ ସ୍କୁଟିକୁ ପଛରୁ ଅନ୍ୟଏକ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକର ମୃତୁ୍ୟ ଘଟିଥିଲା । ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ବିକାଶ ନାୟକ ଙ୍କର ଏହି ଦୂର୍ଘଟଣାରେ ମୃତ୍ୟୁ ଘଟିଥିଲା ।
କଲିକତାରୁ ପାରାଦୀପ ଅଭିମୁଖେ ଯାଉଥିବା “ଲୋକନାଥ”ନାମକ ବସଟି ବାମ ପାଶ୍ୱର୍ରେ ଯିବା ପରିବର୍ତ୍ତେ ଦକ୍ଷିଣ ପାଶ୍ୱର୍ରେ ଦ୍ରୁତ ଗତିରେ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଜନୈକ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ବାମପାଶ୍ୱର୍ ରାସ୍ତାରେ ଆଇରନ ବୋଝେଇ ଟ୍ରକ ଗୁଡିକ ଲାଇନରେ ଜମାହୋଇଥିବାରୁ ବସଟି ମାର୍ଶାଘାଇ କେନାଲବ୍ରିଜ ଛକରୁ ବାମ ପାଶ୍ୱର୍ ପରିବର୍ତ୍ତେ ଦକ୍ଷିଣ ପାଶ୍ୱର୍ରେ ଭୁଲ ରାସ୍ତାରେ ଯାଇଥିବା ସମୟରେ ଯୁବକ ଜଣକ ହଳଦିଆ ଗ୍ରାମରୁ ବଡପାଳ ଛକକୁ ସଉଦା ନେବାକୁ ସ୍କୁଟିରେ ଆସୁଥିଲେ ।
ଦ୍ରୁତ ଗତିରେ ବସଟି ଯାଉଥିବାରୁ ଚାଳକ ବସ ଉପରେ ନିୟନ୍ତ୍ରଣ ଆଣିପାରିନଥିଲେ । ଫଳରେ ବସ ଓ ସ୍କୁଟି ସାମନାସାମନି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତୁ୍ୟ ହୋଇଯାଇଥିବା ଦେଖି ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବସରେ ନିଅାଁ ଲଗାଇ ଦେଇଥିଲେ । ବସର ଡ୍ରାଇଭର ଓ କଣ୍ଡକ୍ଟର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ମାର୍ଶାଘାଇ ଥାନା ଅଧିକାରୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଁଚି ଥିବା ବେଳେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଅାଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ।
ଦୂର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିବା ସହ ଚାପା ଉତେଜନା ସୃଷ୍ଟି ହୋଇଥିଲା । ମାର୍ଶାଘାଇ ତହସିଲଦାର ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାଶୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ । ମାର୍ଶାଘାଇ ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
