ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ : କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଲା ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସିବିଆଇ ଦ୍ବାରା ରୁଜୁ ହୋଇଥିବା ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବା ବେଳେ ଏବେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି ସିବିଆଇ। ସମନ ପଠାଇ କେଜ୍ରିୱାଲଙ୍କୁ ରବିବାର କାର୍ଯ୍ୟାଳୟରେ ହାଜର ହେବାକୁ କହିଛି ସିବିଆଇ।
ସିବିଆଇର ଏହି ସମନକୁ ନେଇ ଆପ୍ କିଛି ସମୟ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି। ସଞ୍ଜୟ ସିଂ ଟ୍ୱିଟ୍ କରି ଏହାକୁ ଏକ ଅତ୍ୟାଚାର ବୋଲି କହିଛନ୍ତି। ସେ ଲେଖିଛନ୍ତି, “ଅତ୍ୟାଚାର ନିଶ୍ଚିତ ଭାବେ ଶେଷ ହେବ। ସିବିଆଇ ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଯିବା ପ୍ରସଙ୍ଗରେ ମୁଁ ସନ୍ଧ୍ୟା ୬ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବି।”
ଉଲ୍ଲେଖଯୋଗ୍ୟ, ସିସୋଦିଆଙ୍କୁ ଫେବ୍ରୁଆରି ୨୬ରେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ଜେଲରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନୀଷ ସିସୋଦିଆଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ପରେ ଇଡି ମନୀଷ ସିସୋଦିଆଙ୍କୁ ଜେଲରୁ ଗିରଫ କରିଥିଲା। ଏହା ପରେ ମନୀଷ ସିସୋଦିଆ ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରି ଏହି ମାମଲାରେ ଜାମିନ ମାଗିଥିଲେ। କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ତେଣୁ ଏବେ ମନୀଷଙ୍କୁ ଜେଲରେ ରହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ମନୀଷଙ୍କୁ ସମର୍ଥନ କରି ସେ ନିର୍ଦ୍ଦୋଶ ବୋଲି କହି ଆସୁଥିବା ଅରବିନ୍ଦ କେଜ୍ରିୱାଲ ଏବେ ନିଜେ ଏହି ମାମଲାରେ ଫସୁଥିବାର ଦେଖାଯାଇଛି।