ପୁରୀ,୨୩ା୪(ସବୁ୍ୟ): କୋଭିଡ-୧୯ କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ମହାମାରୀ କରୋନା ସଂକ୍ରମଣ ଭୟାବହତା ଯୋଗୁଁ ଏବେ ଅନିଶ୍ଚିତତା ମଧ୍ୟରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାମାରୀ ଜନିତ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ସମଗ୍ର ଦେଶରେ ଲକଡାଉନ ଜାରି କରାଯାଇଥିଲେ ମଧ୍ୟ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ହୋଇପାରିବ ବୋଲି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆଶା ରହିଛି । ରାଜ୍ୟ ସରକାର କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପୂର୍ବରୁ ରାଜ୍ୟରେ ଏହାର ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ମେ ୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଲକଡାଉନ କଟକଣା ଯୋଗୁଁ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ, ସଭାସମିତି ଓ ଜନସମାବେଶକୁ ବାରଣ କରାଯାଇଛି । ଏପରିକି ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଚନ୍ଦନଯାତ୍ରା ଓ ରଥ ଅନୁକୂଳ କାର୍ଯ୍ୟ ଆସନ୍ତା ୨୬ତାରିଖ ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଲକଡାଉନ ଜନିତ ପରିସ୍ଥିତି ଯୋଗୁଁ ରଥଯାତ୍ରା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଇତି ମଧ୍ୟରେ ପତ୍ର ଲେଖିଛନ୍ତି । ଏଭଳି ପରିସ୍ଥିତିରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ସହିତ ଉଭୟ ପ୍ରଶାସନିକ ଅଧିକାରୀ ପ୍ରାୟ ଏକ ଘଣ୍ଟା ଧରି ନିବୃତ୍ତ ଆଲୋଚନା କରିଥିଲେ ମଧ୍ୟ ଆଲୋଚନାର କାରଣ ସମ୍ପର୍କରେ ସରକାରୀ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପକ୍ଷରେ ଗୋବର୍ଦ୍ଧନ ପୀଠର ମୁଖପାତ୍ର ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାକ୍ଷାତ ଆଲୋଚନାକୁ ଲକଡାଉନ ସମୟରେ ସୌଜନ୍ୟତାମୂଳକ ସାକ୍ଷାତ ଭାବେ ଅବିହିତ କରିଛନ୍ତି । ତେବେ ୨୩ତାରିଖରେ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାର ଏ ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ଜାଣିବା ପାଇଁ ଉଭୟ ବରିଷ୍ଠ ଅଧିକାରୀଙ୍କୁ ତାଙ୍କୁ ନିକଟକୁ ପଠାଇଥିବା ଅନୁମାନ କରାଯାଉଛି ।