ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍ ରୋଗୀ ସାମ୍ନାକୁ ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦିନ ଧରି ଚିକିତ୍ସିତ ହେଉଥିବା ଭୁବନେଶ୍ବର ସହରର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଯୁବକ ଜଣକ ୯ ଦିନ ତଳେ ଇଟାଲିରୁ ଫେରିଥିଲେ ଏବଂ ଦିଲ୍ଲୀରେ କ୍ବାରେଣ୍ଟିନ୍ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ ବୋଲି ଜଣାପଡ଼ିଛି। ଗତକାଲି ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କ ରିପୋର୍ଟ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ରାତି ଅଧରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଏଭଳି ପରିସ୍ଥିତିର କିଭଳି ମୁକାବିଲା କରାଯିବ ସେ ନେଇ କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନଙ୍କ ସହ ଦେଶର ପ୍ରମୁଖ ଡାକ୍ତରମାନଙ୍କ ସହ ବିଚାରବିମର୍ଶ ଜାରି ରହିଛି। ଆସନ୍ତାକାଲି ସକାଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି।
୯ ଦିନ ତଳେ ଇଟାଲିରୁ ଦିଲ୍ଲୀ ଫେରିଥିଲେ
୧୨ରେ ଭୁବନେଶ୍ବର ଟ୍ରେନ୍ରେ ଆସିଥିଲେ
ସ୍ବାସ୍ଥ୍ୟ ବିଭାଗ ତତ୍ପର, ରାତିଅଧିଆ ତନାଘନା
ବାପା ଓ ଚାକରଙ୍କୁ ବି ନିରୀକ୍ଷଣରେ ରଖାଗଲା
ଟ୍ରେନ୍ରେ ଆସିଥିବା ଯାତ୍ରୀଙ୍କୁ ଖୋଜାଯିବ
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଚଳିତ ମାସ ୬ ତାରିଖ ଦିନ ଇଟାଲିରୁ ବିମାନରେ ଫେରିଥିଲେ। ତେବେ ଦିଲ୍ଲୀ ବିମାନବନ୍ଦରରେ ସ୍କ୍ରିନିଂ ପରେ ଯୁବକଙ୍କୁ ଅନ୍ୟମାନଙ୍କ ସହ କ୍ବାରେଣ୍ଟିନ୍ରେ ରଖା ଯାଇଥିଲା। ୧୧ ତାରିଖ ଯାଏ ସେଠାରେ ସେ ସୁସ୍ଥ ଥିଲେ ଏବଂ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ନ ପାଇବାରୁ ତାଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଥିଲା। ତେଣୁ ସେ ଏକ ଟ୍ରେନ୍ ଯୋଗେ ୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲେ। ତେବେ ୧୩ ତାରିଖରେ ତାଙ୍କୁ ଥଣ୍ଡା ସହିତ ଜ୍ବର ହେବାରୁ ସେ ଏଠାରେ ଜଣେ ଡାକ୍ତରଙ୍କୁ ଦେଖାଇଥିଲେ ଏବଂ ତାଙ୍କ ଦ୍ବାରା ଦିଆ ଯାଇଥିବା ଔଷଧ ଖାଇଥିଲେ। ମାତ୍ର ଏଥିରୁ ଉପସମ ନ ମିଳିବାରୁ ଶନିବାର ସେ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ତେବେ ଯୁବକ ଜଣକ ଇଟାଲିରୁ ଫେରିଥିବା ଏବଂ ତାଙ୍କଠାରେ କରୋନା ଲକ୍ଷଣ ଦେଖି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଇଥିଲେ। ଆଜି ସକାଳେ ତାଙ୍କ ରକ୍ତ ଓ ସ୍ବାବ୍ ନମୁନା ଭୁବନେଶ୍ବର ଆର୍ଏମ୍ଆର୍ସିକୁ ପଠା ଯାଇଥିଲା ଏବଂ ସନ୍ଧ୍ୟାବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା।
ଏହି ଖବର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ନିଦ ହଜାଇ ଦେଇଥିଲା। ବିଭାଗୀୟ ଅଧିକାରୀମାନେ ଜଣକ ପରେ ଜଣେ ଆସି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ପରିସ୍ଥିତିର ମୁକାବିଲା ପାଇଁ ବିଚାର ବିମର୍ଶ କରିଥିଲେ। ବର୍ତ୍ତମାନ ଆଇସୋଲେସନ୍ ୱାର୍ଡରେ ଥିବା ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଏବେ ଜ୍ବର ମଧ୍ୟ ଛାଡ଼ି ଯାଇଛି ବୋଲି ଡାକ୍ତର କହିଛନ୍ତି। ଯୁବକ ଜଣକ ୧୨ରୁ ୧୪ ତାରିଖ ଯାଏ ୨ ଦିନ ଘରେ ଆସି ରହିଥିବାରୁ ମଧ୍ୟରାତ୍ରିରେ ତାଙ୍କ ବାପା ଓ ଚାକରଙ୍କୁ ମଧ୍ୟ ତାଙ୍କ ନିଜ ଘରେ ନିରୀକ୍ଷଣରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ଯୁବକ ଜଣକ ୧୨ ତାରିଖରେ ଯେଉଁ ଟ୍ରେନର ଯେଉଁ ନିର୍ଦ୍ଦିଷ୍ଟ ବଗିରେ ଆସିଥିଲେ, ସେଥିରେ ତାଙ୍କ ପାଖରେ ବସିଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ଦିଲ୍ଲୀକୁ ମଧ୍ୟ ଖବର ଦିଆଯିବ। କେବଳ ସେତିକି ନୁହେଁ, ଆସନ୍ତାକାଲିଠାରୁ ଭୁବନେଶ୍ବର ଷ୍ଟେସନ୍ରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏହାଛଡ଼ା ସୋମବାର ସକାଳେ ସ୍ବାସ୍ଥ୍ୟ ବିଭାଗର ଜରୁରୀ ବୈଠକ ଡକାଯାଇ ବ୍ୟାପକ ବିଚାରବିମର୍ଶ କରାଯିବ ବୋଲି ସ୍ଥିର ହୋଇଛି।