ସୋନି ଟିଭିର ବିଖ୍ୟାତ ଶୋ’ ‘ଦ କପିଲ ଶର୍ମା’ର ସେପେଫମ୍ବର ୨୭ ତାରିଖ ଏପିସୋଡ୍ରେ ବି.ଆର୍. ଚୋପ୍ଡା ନିର୍ମିତ ଐତିହାସିକ ଧାରାବାହିକ ‘ମହାଭାରତ’ର ଲୋକପ୍ରିୟ ଷ୍ଟାର୍କାଷ୍ଟ ପହଞ୍ଚିଥିଲେ । ଶୋ’ରେ ଖୁବ୍ ମସ୍ତି ଦେଖିବାକୁ ମିଳିଥିଲା । ସେଥିରେ ଯୋଗ ଦେଇଥିଲେ ନୀତିଶ ଭରଦ୍ୱାଜ (ଭଗବାନ ଶ୍ରୀକୃଷ୍ଣ), ପୁନିତ୍ ଇସ୍ସର (ଦୁର୍ଯେ୍ୟାଧନ), ଗୁଫି ପେଣ୍ଟଲ (ଶକୁନି) ଓ ଗଜେନ୍ଦ୍ର ଚୌହାନ (ଯୁଧିଷ୍ଠିର) । କିନ୍ତୁ ମହାଭାରତର ବିଶିଷ୍ଟ ଚରିତ୍ର ଭୀଷ୍ମ ଭୂମିକା ନିଭାଇଥିବା ମୁକେଶ ଖାନ୍ନା ଦେଖିବାକୁ ମିଳି ନ ଥିଲେ । ସୋସାଲ୍ ମିଡ଼ିଆ ୟୁଜରମାନେ ଏ ନେଇ ବହୁ ପ୍ରଶ୍ନ ଉଠାଇଲେ । ସେମାନେ ଲେଖିଲେ ଭୀଷ୍ମଙ୍କ ବିନା ମହାଭାରତ ଅଧୁରା । ଏହା ପରେ ମୌନତା ଭଙ୍ଗ କରୁ ମୁକେଶ ଖାନ୍ନା ଯାହା କହିଲେ ସେଥିରେ ସମସ୍ତେ ଚମକି ଉଠିଲେ । ମୁକେଶ କହିଲେ କପିଲ ଶର୍ମାଙ୍କ ଶୋ’ ଫାଲ୍ତୁ, ଅଶ୍ଳିଳ ଇତ୍ୟାଦି । ଶୋ’ ବିରୋଧରେ ସେ ଅନେକ ଟ୍ୱିଟ୍ କଲେ, ଫେସ୍ବୁକ୍ ପୋଷ୍ଟରେ ମଧ୍ୟ ଲେଖିଲେ । କିନ୍ତୁ ଲୋକେ ଯେତେବେଳେ ଏ ସବୁ ପୋଷ୍ଟ ଉପରେ ପ୍ରଶ୍ନ ଉଠାଇବାକୁ ଲାଗିଲେ ମୁକେଶ ସବୁ ଟ୍ୱିଟ୍ ଓ ପୋଷ୍ଟକୁ ଡିଲିଟ୍ କରିଦେଲେ । କିନ୍ତୁ ସେତେବେଳକୁ ସେଗୁଡ଼ିକ ଭାଇରାଲ୍ ହୋଇସାରିଥିଲା । ମୁକେଶ ଖାନ୍ନା ଆଉ ଏକ ଟ୍ୱିଟ୍ରେ
ଲେଖିଲେ- ଏ ପ୍ରଶ୍ନ ଭାଇରାଲ୍ ହୋଇସାରିଛି ଯେ ମୁଁ କାହିଁକି କପିଲ ଶର୍ମା ଶୋ’କୁ ଗଲି ନାହିଁ । କେହି କେହି କହୁଛନ୍ତି ମୋତେ ଡକାଯାଇ ନ ଥିଲା । ସତକଥା ହେଲା ମୁଁ ଶୋ’ରେ ଯୋଗଦେବାକୁ ମନା କରିଥିଲି । ଆପଣମାନେ ହୁଏତ ମତେ ପଚାରିବେ କପିଲ ଶର୍ମା ଭଳି ବଡ଼ ଶୋ’କୁ ଆସିବାକୁ କେମିତିବା ମନା କରିପାରିଲି । ଏ ଶୋ’କୁ ତ ବଡ଼ ବଡ଼ ହିରୋ ଓ ଷ୍ଟାର୍ ଆସୁଛନ୍ତି । ମୁଁ କିନ୍ତୁ ଯିବି ନାହିଁ । ଗୁଫି ମଧ୍ୟ ଶୋ’ରେ ସାମିଲ ହେବାକ ବ୍ୟକ୍ତିଗତ ଭାବେ ମତେ କହିଥିଲେ । କପିଲ ଶର୍ମାଙ୍କ ଶୋ’ ବହୁତ ଲୋକପ୍ରିୟ ହୋଇଥାଇପାରେ । କିନ୍ତୁ ମୋ ଦୃଷ୍ଟିରେ ଏହା ଏକ ଫାଲ୍ତୁ, ଅଶ୍ଳିଳ ଆଉ ଡବଲ୍ ମିନିଂ ଥିବା ପରିହାସପୂର୍ଣ୍ଣ ଡାଇଲଗ୍ରେ ଭରପୂର । ଏ ଶୋ’ରେ ପୁରୁଷ ନାରୀ ପୋଷାକ ପିନ୍ଧି ଘଟିଆ ହରକତ କରୁଛନ୍ତି ଏବଂ ତାକୁ ଦେଖି ଲୋକେ ମନଭରି ହସୁଛନ୍ତି । ଜଣେ ବ୍ୟକ୍ତିଙ୍କୁ ଦର୍ଶକଙ୍କ ମଝିରେ ସିଂହାସନରେ ବସାଇ ରଖାଯାଉଛି । ତାଙ୍କ କାମ କେବଳ ହସିବା । ହସ ମାଡୁ ନ ଥିଲେ ବି ସେ ହସନ୍ତି । କାରଣ ହସିଲେ ହିଁ ତାଙ୍କୁ ଟଙ୍କା ମିଳିବ । ପ୍ରଥମେ ଏ କାମ ପାଇଁ ଆସୁଥିଲେ ସିଦ୍ଧୁ ଭାଇ । ଏବେ ଆସୁଛନ୍ତି ଅର୍ଚ୍ଚନା । କାମ ? କେବଳ ହା ହା ହା କରିବା ! ଆଜିଯାଏ ମୁଁ ବୁଝିପାରୁନି ଲୋକେ ଏ ଶୋ’କୁ କାହିଁକି ଏତେ ପସନ୍ଦ କରୁଛନ୍ତି ।
