କଣ୍ଟାପଡ଼ା, (ସବୁ୍ୟ)-କଣ୍ଟାପଡ଼ା ବ୍ଲକ ଅଧିନ ଗୋବିନ୍ଦପୁର ଥାନାରେ ଗାଡ଼ି ନଥିବାରୁ ପାଟ୍ରୋଲିଙ୍ଗ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇପାରୁନାହିଁ । ଜରୁରୀ କାର୍ଯ୍ୟ ପଡ଼ିଲେ ଏକମାତ୍ର ଭଡ଼ା ଗାଡ଼ି ହିଁ ଭରଷା । ଏହି ଥାନା ଅଧିନରେ ବ୍ରାହ୍ମଣସାଇଲୋ, ଝାରପଡ଼ା, ଗୋବିନ୍ଦପୁର, ନୂଆଗାଁ, ପାଟସୁନ୍ଦରପୁର, ପୋସ୍ତଳ, ବ୍ରାହ୍ମଣବାଟି, ଡିମିରି, ଉତ୍ତାରଣ, ନାହାଳପୁର, ଉରାଢ଼ ଆଦି ପଞ୍ଚାୟତ ରହିଥିଲାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୁଲିସକୁ ଘଟଣାସ୍ଥଳରେ ପହଞ୍ଚôବାକୁ ଦୀର୍ଘ ସମୟ ଲାଗୁଛି । ବିଶେଷ କରି ପୋସ୍ତଳ, ଉରାଢ଼, ଡିମିରି ଓ ଉତ୍ତାରଣ ଅଞ୍ଚଳକୁ ଯିବାକୁ ହେଲେ ପୁଲିସକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି ।
ସେହି ସମୟରେ ଯଦି ଅନ୍ୟ କେଉଁଠି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ଗାଡ଼ି ଅଭାବରୁ ପୁଲିସ ସେଠାରେ ପହଞ୍ଚôପାରେ ନାହିଁ । ଅପରପକ୍ଷରେ ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁପ୍ରସାଦ ଦାଶ କରୋନା ସଂକ୍ରମଣ ଆଶଙ୍କାରେ ଉକ୍ତ ପଞ୍ଚାୟତକୁ ଦୁଇ ଦିନ ପାଇଁ ସଟଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନ, ସଟଡ଼ାଉନ ଓ କରୋନା ଜନିତ କଟକଣା କାର୍ଯ୍ୟକାରୀ କରିବାକୁ ହେଲେ ପୁଲିସ ପାଟ୍ରୋଲିଙ୍ଗ କଡ଼ାକଡ଼ି କରିବାକୁ ପଡ଼ିବ; ମାତ୍ର ଆବଶ୍ୟକ ସଂଖ୍ୟକ ଗାଡ଼ି ନଥିବାରୁ ତାହା ସମ୍ଭବ ହୋଇପାରୁନାହିଁ । ଏଣୁ ଅନେକ ସ୍ଥାନରେ କରୋନା କଟକଣା ଉଲ୍ଲଙ୍ଘନ ହେଲେ ସୁଦ୍ଧା ପୁଲିସ ନାଚାର । ଏହି ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ଏବଂ ସମ୍ପ୍ରତି କରୋନା ଜନିତ ଜଟିଳ ପରିସ୍ଥିତିର ମୁକାବିଲା କରିବା ସକାଶେ ଗୋବିନ୍ଦପୁର ଥାନାକୁ ନୂତନ ଗାଡ଼ି ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।
