ପୋଖରୀ ନିଲାମକୁ କେନ୍ଦ୍ର କରି କଙ୍ଗାରୁ କୋର୍ଟର ଶୀକାର ହେଲେ ପରିବାର : ଗ୍ରାମରୁ ବାସନ୍ଦ ସହ , ଘର ଦୁଆର ଆଗରେ କଣ୍ଟା ବିଛାଇଲେ ଗ୍ରାମବାସୀ
ରଣପୁର : ଗତ କଛିଦିନ ତଳେ ରଣପୁର ବ୍ଲକ୍ ଅଂଚଳରେ କଙ୍ଗାରୁ କୋର୍ଟରେ ଶୀକାର ହୋଇ ଠାକୁର ଉପବାସ ରେ ରହିଥିଲା ବେଳେ ପୁଣି ଆଉ ଏକ କଙ୍ଗାରୁ କୋର୍ଟ ଦ୍ୱାରା ଗୋଟିଏ ପରିବାର ଗ୍ରାମରୁ ବାସନ୍ଦ ହେବାସହ ଦୁଆରେ କଣ୍ଟା ପକାଯାଇଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କଙ୍ଗାରୁ କୋର୍ଟ ଚାଲୁ ରହିଛି । ଯାହା ଫଳରେ କଙ୍ଗାରୁ କୋର୍ଟର ରାୟ କାର୍ଯ୍ୟକାରି କରିବାରେ ଅନେକ ନୀରିହ ସାଧାରଣ ବ୍ୟକ୍ତି ଦଣ୍ଡିତ ହେଉଥିବା ଦେଖିବାକୁ ମିଳିଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ଥାନାର କେରେଣ୍ଡାଟାଙ୍ଗୀ ଗ୍ରାମ ପଂଚାୟତ ଉପେନ୍ଦ୍ରପୁର ଗ୍ରାମରେ ।
ସେହି ଗ୍ରାମର ରବି ସୁନ୍ଦରାୟ ଓରଫ୍ ପ୍ରସନ୍ନ ଗାଁ ମୁଣ୍ଡରେ ଥିବା ଏକ ପୋଖରୀ ଓ ବାଘମରା ବନ୍ଧକୁ ଗତ ୪ ବର୍ଷ ହେଲା ପଂଚାୟତରୁ ନିଲାମ ନେଇ ଆସୁଥିଲା ବେଳେ ସେହି ଗ୍ରାମର କିଛି ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଥିଲେ । ତେବେ ଚଳିତ ବର୍ଷ ମଧ୍ୟ ରବି ସୁନ୍ଦରାୟ ଓରଫ୍ ପ୍ରସନ୍ନ ଗାଁ ମୁଣ୍ଡ ପୋଖରୀ ଓ ବାଘମରା ବନ୍ଧକୁ ପଂଚାୟତରୁ ନିଲାମ ଆଣିବାରୁ ଗ୍ରାମବାସୀଙ୍କ ତରଫରୁ ଗାଁରେ କଙ୍ଗାରୁ କୋର୍ଟ କରାଯାଇ ତାଙ୍କ ଦାଣ୍ଡ ଦୁଆରେ କଣ୍ଟା ଛାଟିବା ସହ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଥିବା ଜଣା ପଡିଛି ଏବଂ ତାଙ୍କ ପରିବାରଙ୍କୁ ଜୀବନରେ ମାରିଦେବା ପାଇଁ ଧମକ୍ ଦେଉଥିବା ଅଭିଯୋଗ ହେଉଛି । ଏ ନେଇ ରବି ସୁନ୍ଦରାୟ ନୟାଗଡ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଚାନ୍ଦପୁର ଥାନାକୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ।