Odisha news

ସରକାରୀ ଅର୍ଥ ହଡପ ଅଭିଯୋଗ,ରେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜେଲ ଦଣ୍ତାଦେଶ ଶୁଣାଇଲେ କୋର୍ଟ

0
କନ୍ଧମାଳ:ତା, ୨୩/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ):  ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୪ ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଏଥି ସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ କଲେ ଅଧିକ ୪ ମାସ ଜେଲ ଭୋଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ସୀତାପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ କୁମାରୀ ଦେବୀ। ଅଭିଯୋଗ ଅନୁଯାୟୀ, ପ୍ରଭାତୀ ଗତ ୨୦୧୭ ମସିହାରେ ସୀତାପଡି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିବା ବେଳେ ଶ୍ରେଣୀଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲା । ନିର୍ମାଣ କାର୍ଯ୍ୟ ନ ସାରି ଅନୁଦାନ ଅର୍ଥରୁ ୨,୬୬,୩୫୦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୮/୧୭ରେ ଏକ ମାମଲା ରୁଜ୍ଜୁ କରାଯାଇ ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଭାପତି ଗୁମାନସିଂ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରାଯାଇଥିଲା। ତେବେ ତଦନ୍ତ ପରେ କେବଳ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା। ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଅଦାଲତର ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି.ରାମଦାସ ମାମଲା ପରିଚାଳନା କରୁଥିଲେ।
Govt
Leave A Reply