କଣାସ ୦୩/୧୦/୨୦୨୨ : ଶାରଦୀୟ ନବଦିନାତ୍ମକ ପୂଜା କଣାସର ବିଭିନ୍ନ ପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା ପୀଠ ଗୁଡିକରେ କୋଭିଡ ଯୋଗୁ ଶାରଦୀୟ ପୂଜା ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ପରମ୍ପରା ପ୍ରଥା ଅନୁସାରେ ପୂଜା ପାଠ ପୀଠ ଗୁଡିକରେ ସ୍ରୋତ୍ରୀୟ ବାହ୍ମଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଛି ମାତୃଶକ୍ତି ପୀଠ ଚଳ ହୋଇଥିବା ଜଣାଡିଛି । ସପ୍ତସତି ଚଣ୍ଡି ପାଠ, ହୋମ, ଷୋଡଶ ଉପଚାର ପୂଜାର ମନ୍ତ୍ର ଶଦ୍ଦରେ ମୁଖରିତ ହୋଇ ଉଠିଛି ଶକ୍ତିପୀଠ ଗୁଡିକ । ଗ୍ରାମ ଗୁଡିକରେ ରହିଥିବା ପୀଠ ଦେବୀଙ୍କ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସକାଳେ ଦ୍ୱାରଫିଟା, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି, ସ୍ନାନ, ବେଶ କରାଯିବା ପରେ ମାଆଙ୍କ ପାଖେ ଧୂପ, ଦୀପ ଦେବାପରେ ଉଖୁଡା, ଖଇ, କୋରା, ଚୁଡାଘଷା, ପାଚିଲା କଦଳୀ, ବିଭିନ୍ନ ଫଳମୂଳ ସହିତ ପଇଡ ଆଦି ବାଳଭୋଗ କରାଯାଉଛି । ଦିପହର ଧୂପରେ ଠାକୁରାଣୀଙ୍କ ପାଖରେ ଖେଚାଡି, ଡାଲି, ଡାଲମା, ମସଲା ଡାଲି, ମାଛବେସର, ସାଧାତରକାରୀ, ପୋଡାମାଛ, ଖିରି, ଏଣ୍ଡୁରୀ , କାକରା, ପଣା, ପଇଡ ଆଦି ଭୋଗ କରାଯାଉଛି । ସ୍ରୋତ୍ରୀୟ ବ୍ରାହ୍ମଣବରଣ କରାଯାଇ ପୀଠ ଗୁଡିକରେ ଚଣ୍ଡିପାଠ, ହୋମ ଓ ଷୋଡଶଉପାଚାରରେ ମାଙ୍କୁ ପୂଜା ପାଠ କରାଯାଉଛି । ଗ୍ରାମ ମାନଙ୍କରେ ପାଳି ଅନୁଯାୟୀ ପରିବାର ମାନଙ୍କ ପକ୍ଷରୁ ମାଙ୍କୁ ଭୋଗ ଲାଗି କରାଯାଉଛି । ମହାଷ୍ଟମୀ ତିଥିରୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ଦେବୀ ପୀଠ ଗୁଡିକରେ ସ୍ୱତନ୍ତ୍ର ପୂଜାନୀତିକାନ୍ତି କରାଯାଇଥାଏ । ବଳିପ୍ରଥା ବନ୍ଦ ହୋଇ ଯାଇଥିବାରୁ ନବମୀ ଦିନ ଶ୍ରୀଜଗନ୍ନାଥଙ୍କ ଶୁଖିଲି ମହାପ୍ରସାଦ ଠାକୁରାଣୀଙ୍କ ପାଖରେ ସମର୍ପଣ କରାଯାଇଥାଏ । ଅନ୍ୟ କେତେକ ପୀଠରେ ପାଣି କଖାରୁ ବଳି ଭାବେ ପକାଯାଇଥାଏ । ଦଶହରା ଦିନ ବିଭିନ୍ନ ଗ୍ରାମ ମାନଙ୍କରେ ଶିବ ପାର୍ବତୀ ସୁସଜିତ ବିମାନ ବା ରଥରେ ବସି ଗ୍ରାମ ପରିକ୍ରମା କରିବା ସହ ଦୁଆରିଭୋଗ ଖାଇଥାନ୍ତି । ସେହିପରି ମାଆ କୁଞ୍ଜେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଆଖ ପାଖ ଗ୍ରାମମାନଙ୍କୁ ଯାଇ ଦଶହରା ମଣ୍ଡପରେ ବସିବା ପରେ ସେଠାରେ ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି ହୋଇଥାଏ । ସେହିପରି ମୃଣୟୀପୀଠ ଗୁଡିକ ରଙ୍ଗ ବେରଙ୍ଗ ଆଲୋକମାଳରେ ସୁସଜିତ ହେବା ସହ ମା ପୂଜା ପାଇଥାନ୍ତି । ଘରେ ଘରେ ପିଠା ପଣା କରାଯାଇଥାଏ ।ବିଶେଷ କରି ପରମ୍ପରା ଅନୁଯାୟୀ କଣାସ ଆଞ୍ଚଳର ଆରାଧ୍ୟ ଦେବୀ ମା କୁଞ୍ଜେଶ୍ଵରୀଙ୍କ କାଠି ଷୋଳ ଦେଶକୁ ଯାଇ ଗ୍ରାମ ପରିକ୍ରମା କରିଥାନ୍ତି । ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ ।
