ଭୋପାଳ: ମଧ୍ୟପ୍ରଦେଶର କମଲନାଥଙ୍କ ସରକାର ଉପରେ ବିପଦ ଥିବାରୁ ଯାଇଛି ଆଗାମୀ ଦିନରେ କିଛି ବଡ଼ ପରିବର୍ତ୍ତନର ସମ୍ଭାବନା ଦେଖା ଦେଇଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ। ଚଳିତ ବଜେଟ୍ ଅଧିବେଶନରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯାଇପାରେ ବୋଲି ଦିଗବିଜୟ ସିଂହ କହିଛନ୍ତି।
ଏଥିରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ବିଧାୟକମାନଙ୍କୁ ସ୍ଥାନ ଦେବେ ବୋଲି କୁହାଯାଉଛି। କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ ,ଗୁଲାମନବୀ ଆଜାଦ୍, କପିଲ ସିବଲ୍ ଏବଂ ଦିଗବିଜୟ ସିଂହଙ୍କ ପରାମର୍ଶକ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କଂଗ୍ରେସର ନିଖୋଜ ଥିବା ୪ ଜଣ ବିଧାୟକଙ୍କ ମଧ୍ୟରୁ ଗତକାଲି ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ବାଚସ୍ପତି ଏନ. ପି. ପ୍ରଜାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକମାନେ ମଧ୍ୟ ଇସ୍ତଫା ଦେବେ ବୋଲି ସୂଚନା ମିଳୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। କଂଗ୍ରେସ ବିଧାୟକଙ୍କ ଦଳବିରୋଧୀ କାର୍ଯ୍ୟ ଯୋଗୁ କମଳନାଥ ସରକାରଙ୍କ ସଙ୍କଟ ବଢ଼ିଯାଇଛି।

ମଧ୍ୟପ୍ରଦେଶ ବିଧାନସଭାରେ ଏବେ କଂଗ୍ରେସ ପାଖରେ ୧୧୩ ବିଧାୟକ ଥିବାବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ହେଉଛି ୧୦୭। ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ୨ ଜଣ ସଦସ୍ୟଙ୍କ ପରଲୋକ ଘଟିଥିବାରୁ ଏବେ ସଦସ୍ୟ ସଂଖ୍ୟା ୨୨୮ରେ ରହିଛି। କଂଗ୍ରେସ ସରକାରକୁ ବିଏସ୍ପିର ଦୁଇ ଜଣ, ସମାଜବାଦୀ ପାର୍ଟିର ଜଣେ ଏବଂ ୪ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଏବେ ତିନି ଜଣ କଂଗ୍ରେସ ବିଧାୟକଙ୍କ ସମେତ ଆଉ ଜଣେ ସ୍ବାଧୀନ ବିଧାୟକ ବି ନିଖୋଜ ଥିବା କୁହାଯାଉଛି।