Odisha news

ପାଳ ଭାଡି ତଳେ ବିତୁଛି ଜୀବନ

0

କାମାକ୍ଷାନଗର,- କାମାକ୍ଷାନଗର ଥାନା ଜୟପୁରା ପଂଚାୟତ ଅନ୍ତର୍ଗତ କାଦବସନ୍ତ ଗାଁ । ଯାହା ଘଂଚ ଜଙ୍ଗଲ ପାହାଡ ପର୍ବତ ଘେରା ନିପଟ ମଫସଲି ଗାଁ । ଗାଁରେ ବାସ କରୁଛନ୍ତି କୈଳାସ ମୁର୍ମୁ । ବୟସ ମାତ୍ର ୪୦ ବର୍ଷ । ପେଶାରେ ଜଣେ ୱେଲଡିଙ୍ଗ୍ ମିସ୍ତ୍ରୀ । କିନ୍ତୁ ଦୀର୍ଘ ୫ ବର୍ଷ ହେବ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି କୈଳାସ । ତାହା ପୁଣି ଏକ ପାଳ ଭାଡି ତଳେ ବିତୁଛି ତାଙ୍କ ଜୀବନ । ସେହି ପାଳ ଭାଡି ତଳ ହେଉଛି ତାଙ୍କର ରହିବା ,ଶୋଇବା ,ଖାଇବା ଏବଂ ଝାଡା ପରିଶ୍ରା କରିବାର ସ୍ଥାନ । ପାଳ ବାଡି ତଳେ ଥିବା ଖଟରେ ଖରା,ବର୍ଷା ,ଶୀତ କାକରକୁ ନେଇ କଟୁଛି ତାଙ୍କର ଅଭିଶପ୍ତ ଜୀବନ ।

ଏହି ଦୁଃଖପୂର୍ଣ୍ଣ ଜୀବନ ସମୟରେ ହାତ ଛାଡି ଦେଇଛନ୍ତି ତାଙ୍କର ଅର୍ଦ୍ଧାଙ୍ଗିନୀ ତଥା ଜନ୍ମ ଜନ୍ମାନ୍ତର ସାଥୀ । ଗାଁ ଲୋକମାନେ ପ୍ରତିଦିନ ପାଳିକରି ଖାଇବାକୁ ଦେଉଚନ୍ତି । ତାହା ସହିତ କୈଳାସର ସେବା ଶୁଶ୍ରୁଷା ମଧ୍ୟ ପ୍ରତିଦିନ କରୁଛନ୍ତି । ମାତ୍ର ସେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯାଇପାରୁ ନାହାଁନ୍ତି । ତେଣୁ ବଂଚିବାର ସମସ୍ତ ଆଶା ଛାଡି ଦେଇଛନ୍ତି । ଏହି ଯୁବକ ଅବସ୍ଥାରେ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରିଛନ୍ତି । ଦୀର୍ଘ ୫ବର୍ଷ ହେବା ନା ସେ ଗାଧୋଇଛନ୍ତି ,ନା ତାଙ୍କ ଶରୀରରେ ସୂର୍ଯ୍ୟଙ୍କର କିରଣ କେବେ ପଡିଛି । କେବଳ ପ୍ରଶ୍ୱାସ ନିଶ୍ୱାସ ନେବା ସହ ଦୁଇ ପଦ ଖନିଖନି କରି କହିବା ବ୍ୟତୀତ ସମ୍ପୂର୍ଣ୍ଣ ଶରୀରଟି ଅଚଳ ହୋଇ ଯାଇଛି । ବେସାହାରା କୈଳାସଙ୍କୁ ସାହାରା ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଏକ ଗରୀବ ନିଃସହାୟ ଜୀବନଟିକୁ ଚିକିତ୍ସା କରି ଭଲ କଲେ ପୁଣି ଥରେ ନୂଆଁ ଜୀବନଟିଏ ଗଢି ତୋଳି ପାରିବେ କୈଳାସ । ନୂଆଁ ସକାଳର କିରଣ ,ନୂଆଁ ଜୀବନର ଝଲକ ସହ ଜୀବନରେ ଆସିବ ନୂଆଁ ଏକ ଆଶା ଓ ସଂଚାର ।

ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରତ୍ନାକର ସାମଲ କୁହନ୍ତି ଯେ, ମୁଁ ଏ ସମ୍ପର୍କରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କଥା ହୋଇ ଏକ ଡାକ୍ତରୀ ଟିମ୍ ତାଙ୍କ ନିକଟକୁ ପଠାଇବୁ ଏବଂ ଯଥା ସମ୍ଭବ ଆମେ ତାଙ୍କୁ ଚିକିତ୍ସାରେ ସହଯୋଗ କରିବୁ । ଦୀର୍ଘ ୫ବର୍ଷ ହେବ ପାଳଭାଡି ତଳେ ଶଯ୍ୟାଶାୟୀ ହୋଇ ଅଜଣା ରୋଗରେ ପୀଡିତ ଥିବା କୈଳାସଙ୍କ ଉଦୟ ହେବ କି ନୂଆଁ ସୂର୍ଯ୍ୟ ! ପୁଣି ଥରେ ଜୀବନର ସେହି ଅଭୁଲା ଅତୀତକୁ ଫେରି ପାରିବେ କି କୈଳାସ ? ସ୍ୱସ୍ଥ୍ୟ ବିଭାଗର ସହଯୋଗ ନିଶ୍ଚିତ ପକ୍ଷେ ତାଙ୍କ ଜୀବନରେ ନୂଆଁ ଏକ ଗତିପଥ ତିଆରି କରିବ । ଏ ନେଇ ଆକୁଳ କଣ୍ଠରେ ନିବେଦନ କରିଛନ୍ତି ତାଙ୍କର ସମ୍ପର୍କୀୟ ଏବଂ ଗ୍ରାମବାସୀ ।

Leave A Reply