କାକଟପୁର,୧୬.୦୭- ରାଜ୍ୟ ସରକାର ଉନ୍ନତ ଓ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଡେଙ୍ଗୁରା ପିଟୁଥିଲେ ମଧ୍ୟ ପ୍ରକୃତରେ ତାହା ଗ୍ରାମାଞ୍ଚଳରେ କେବଳ ଲୋକ ଦେଖାଣିଆ ଓ ମିଛ ପ୍ରଚାର ପ୍ରସାର ବୋଲି ପ୍ରମାଣିତ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବାଲିଦୋକାନ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଦୀର୍ଘ ୬ ମାସ ହେଲା ମେଡିକାଲ ଅଫିସର ତଥା ଏଲୋପଥିକ୍ ଡାକ୍ତର ନଥିବାରୁ ଦୈନିକ ଶତାଧିକ ରୋଗୀ ନିରାଶରେ ଫେରୁଥିବା ବେଳେ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟଯେ ପୂର୍ବରୁ ଡାକ୍ତର ରାକେଶ ରଞ୍ଜନ ସେଠୀ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଶ୍ରୀଯୁକ୍ତ ସେଠୀ, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ମିଳିତ ଭାବେ ଉତ୍ତମ ରୋଗୀ ସେବା କରୁଥିବାରୁ ବାଲି ଦୋକାନ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୈନିକ ଶତାଧିକ ରୋଗୀ ଉପଶମ ହେଉଥିଲେ। କିନ୍ତୁ ଡାକ୍ତର ସେଠୀଙ୍କ ଉଚ୍ଚତର ଶିକ୍ଷା ପାଇଁ ଚାକିରୀ ଛାଡ଼ି ଦୀର୍ଘ ୬ ମାସ ହେବ ଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଏଯାଏ ଜଣେ ଏମବିବିଏସ ଡାକ୍ତର ନିଯୁକ୍ତି ହୋଇ ନାହାଁନ୍ତି। ଯାହା ଫଳରେ ଦୈନିକ ଶତାଧିକ ରୋଗୀ ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ଉପରେ ନିର୍ଭର କରୁଛନ୍ତି। ଏଥି ସହିତ ଏହି ମେଡ଼ିକାଲରେ ଷ୍ଟାଫ୍ ନର୍ସ ନଥିବାରୁ ରୋଗୀ ମାନଙ୍କୁ ଇଞ୍ଜେକ୍ସନ ଓ ସାଲାଇନ ଦେବାକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଏଥି ପ୍ରତି ଗୁରୁତ୍ବ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଜଣେ ଡ଼ାକ୍ତର ଓ ଜଣେ ଷ୍ଟାଫ୍ ନର୍ସ ନିଯୁକ୍ତି କରିବାକୁ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାବି ଜଣାଇଛନ୍ତି।
