କାକଟପୁର ତା 30/06,ପୁରୀଜିଲ୍ଲା କାକଟପୁର ଥାନା ଥାନା ଅନ୍ତର୍ଗତ ଗୋକୁଳପୁର ଗାଁ ରେ ଗତ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ରମେଶ ସାହୁଙ୍କ ୩ ବଖରା ଘର ପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି । ଖବରପାଇ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଚୁଲି ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ୫ ଦିନ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ପରିବାରକୁଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା କିମ୍ବା ପାଲ ଖଣ୍ଡେ ସୁଦ୍ଧା ମିଳିପାରିନାହିଁ l ଯାହାଫଳରେ କ୍ଷତିଗ୍ରସ୍ତ ପରିବାର ନାହିଁ ନଥିବା ଅସୁବିଧାରେ କାଳାତିପାତ କରୁଛନ୍ତି l
ରମେଶ ଜଣେ ଦହିବରା ବେପାରୀ ହୋଇଥିବାବେଳେ ଦହିବରା ବିକ୍ରି କରି ସେ ପରିବାର ପ୍ରତିପୋଷଣ କରେ l ସରକାରଙ୍କ ରାସନ ଚାଉଳ ତାଙ୍କ ପରିବାର ପାଇଁ ଏକମାତ୍ର ସାହା ହୋଇଥିବାବେଳେ ଆଉ ଖଣ୍ଡେ ନୂତନ ଗୃହ ନିର୍ମାଣ କରିବା ରମେଶଙ୍କ ପାଇଁ ସାତ ସପନ ହୋଇପଡିଛି lସେ ନିଜର ବେପାର ପାଇଁ ବ୍ୟବହାର କରୁଥିବା ସାଇକେଲ,ବହୁ ପରିମାଣର ଆସବାବ ପତ୍ର , ଘରୋଇ ଉପକରଣ ଓ କୃଷି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି ।କ୍ଷତିଗ୍ରସ୍ତ ପରିବାରଙ୍କୁ , ସରକାରୀ ଆର୍ଥିକ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି l
