କାକଟପୁର,୬.୧୧- ପୁରୀ ଜିଲ୍ଲା କାକଟପୁର ବ୍ଳକ୍ ତେନ୍ତୁଳିଆ ଗ୍ରାମରେ ୨୫ତମ ରାହାସ ମହୋତ୍ସବ ଗ୍ରାମବାସୀଙ୍କ ଦ୍ବାରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଗାଁ ମୁଣ୍ଡରେ ଥିବା ବାବା ଭାରତେଶ୍ୱର ଗାଦି ବ୍ରହ୍ମ ପୀଠରେ ପବିତ୍ର କାର୍ତ୍ତିକ ମାସ ପଂଚୁକ ନିମନ୍ତେ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ମହୋତ୍ସବ ଚାଲୁରହିବ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ପ୍ରତିଦିନ ସନ୍ଧ୍ୟାରେ ସାଗର ନୃତ୍ୟ ଏକାଡେମୀ ତରଫରୁ ଭଜନ, କୀର୍ତ୍ତନ, ଜଣାଣ ସହ ଓଡ଼ିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟ ପରିବେଷଣ କରାଯାଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।
ଏହି ରାହାସ ମହୋତ୍ସବ ଅବସରରେ ଧରମ ମାସ ଭାବେ ପରିଗଣିତ କାର୍ତ୍ତିକରେ ଗାଁର ଝିଅ ମାନେ ସକାଳୁ ଉଠି ଝାଟୁଆରେ ଦାଣ୍ଡ ଓଳାଇବା, ଗାଁ ଶେଷ ମୁଣ୍ଡରେ ଚଉରା ମୂଳରେ ଚିତା ପକାଇ, ସଞ୍ଜ ଧୂପ ଦୀପ ଦେଇ ମନଖୁସିରେ ପାଳନ କରୁଛନ୍ତି । ପୁରାତନ ପରମ୍ପରା ଅନୁଯାୟୀ ଦାଣ୍ଡ ପହଁରା ପରେ କିଆ ଗଛରେ ଝାଡୁ ପିଟି ପାରମ୍ପରିକ ଗୀତ ବୋଲି ଥାଆନ୍ତି। ଯାହା ପୁରାତନ ସଂସ୍କୃତି ଓ ପରମ୍ପରା ବଜାୟ ରଖିବାର ନିଆରା ପ୍ରୟାସ ବୋଲି ଝିଅ ମାନେ କୁହନ୍ତି। ସହରରେ ଏହା ଦେଖିବାକୁ ମିଳି ନଥିବା ବେଳେ ଗାଁ ଗହଳିରେ ମଧ୍ୟ ଲୋପ ପାଇବାକୁ ବସିଲାଣି। କିନ୍ତୁ ତେନ୍ତୁଳିଆ ଗ୍ରାମରେ ବଞ୍ଚି ରହିଛି ଓଡ଼ିଆ ପର୍ବ ପର୍ବାଣୀ ଓ ସଂସ୍କୃତି ପରମ୍ପରା।
ସଭାପତି ବିଶ୍ଵନାଥ ଜେନା, ସମ୍ପାଦକ ଆର୍ତ୍ତତ୍ରାଣ ସାହୁ, କୋଷାଧ୍ୟକ୍ଷ ସମୀର ପ୍ରଧାନ, ସୁଶାନ୍ତ ସାହୁ, ବଂଶୀଧର ବେହେରା, ଗୌରାଙ୍ଗ ଦାସ, ଗୋକଳି ପ୍ରଧାନ, ବାବୁ ପାତ୍ର, ପ୍ରସନ୍ନ ଦାସ, ବିଚି ଦାସ, କାଳନ୍ଦି ସାହାଣୀ, ଅର୍ଜୁନ କାଳିଆ, ରାଜେନ୍ଦ୍ର ପ୍ରଧାନ ଓ ପ୍ରଦୀପ୍ତ ବେହେରା ପ୍ରମୁଖ ଗ୍ରାମବାସୀ ମାନେ ଏହି ମହୋତ୍ସବକୁ ପରିଚାଳନା କରୁଛନ୍ତି।
