ନୂଆଦିଲ୍ଲୀ: ବଲିଉଡର ବିିଶିଷ୍ଟ ହାସ୍ୟ ଅଭିନେତା, ସଂଳାପ ଲେଖକ କାଦର ଖାନ ଆଉ ନାହାଁନ୍ତି । ସୋମବାର ଭୋର ସମୟରେ କାନାଡାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ପୁତ୍ର ସରଫରଜ ପ୍ରଥମେ ମୃତ୍ୟୁର ଖବର ଜଣାଇଥିଲେ । ମୃତ୍ୟୁବେକଳୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଫିଲ୍ୱ ଜଗତର ବହୁ ଅଭକିନେତା, ଅଭିନେତ୍ରୀ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ବିଗ ବି ଅମିତାଭ ବଚ୍ଚନ ଟ୍ୱିଟ କରି ତାଙ୍କର ଆରୋଗ୍ୟ କାମନା କରିଥିଲେ ।
ଖାନ ୧୯୩୭ ମସିହାରେ କାବୁଲରେ ଜନ୍ମଗ୍ରହଣ କରିଥିଲେ । ବମ୍ବେରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଖାନ ସିଦ୍ଦିକ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟକରିଥିଲେ । ପରେ ସେ ନିଜର ଅଭିନୟକୁ ପେଶା କରି ପ୍ରଥମେ ୧୯୭୩ରେ ହିନ୍ଦୀ ଫିଲ୍ମ ଦାଗରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ହାସ୍ୟ ଅଭିନେତା ପାଇଁ ସେ ବେଶ ପରିଚିତ ଥିଲେ । ତାଙ୍କ ଅଭିନିତ ଫିଲ୍ମ ହମ୍ ହୈ କମାଲ୍ କେ ହମ, ଦୁଲ୍ହେ ରାଜା, କୁଲି, ତକ୍ଦିରୱାଲା, ମେଁ ଖିଲାଡି ତୁ ଅନାଡି, ସୂର୍ଯ୍ୟବଂଶମ, ହସୀନା ମାନ ଜାୟେଗୀ, କନୱର, ନୟା କଦମ, ଜହ୍ମାଦ ଆଦି ଆହୁରି ଅନେକ ଫିଲ୍ମ ହଟି୍ ହୋଇଥିଲା । ତାଙ୍କର ଶେଷ ଫିଲ୍ମ ଥିଲା ମସ୍ତି ନହିଁ ଶସ୍ତି । ଆଜି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।