Odisha news

ଔଷଧିୟ କଡକନାଥ କୁକୁଡା ଚାଷକୁ ବଂଚାଇବାକୁ ଚେଷ୍ଟା

0

କନ୍ଧମାଳ : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଜାରୀ ହୋଇଥିବା ଲକଡାଉନ୍ ଓ ସଟଡାଉନ୍ ପାଇଁ ଅନେକ ରୋଜଗାର ହରାଇଛନ୍ତି । ଅନେକ ହତାଶ ବି ହୋଇପଡିଛନ୍ତି । କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଆରାବାକା ଗ୍ରାମର ସ୍ମିତାରାଣୀ ପଟ୍ଟନାୟକଙ୍କ ବି ସେହି ଅବସ୍ଥା । ସ୍ୱାମୀଙ୍କ ଚାକିରୀ ଚାଲିଯିବା ପରେ ସେ ଧୌର୍ଯ୍ୟ ନହରାଇ ଖୋଜିଥିଲେ ବଂଚିବାର ରାହା । ସ୍ୱାବଲମ୍ବୀ ହେବାକୁ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଛନ୍ତି । ଏକ ବିରଳ ପ୍ରଜାତିର କଡକନାଥ କୁକୁଡା ଚାଷ କରି ପରିବାର ପାଇଁ ରୋଜଗାର ସୃଷ୍ଟି କରିଛନ୍ତି ସ୍ମିତା ।

କନ୍ଧମାଳ ଜିଲ୍ଲାର ଆରାବାକା ଗ୍ରାମର ସ୍ମିତାରାଣୀ ପଟ୍ଟନାୟକ ଓ ସ୍ୱାମୀ ଶରତ ପଟ୍ଟନାୟକ ପୂର୍ବରୁ ଏକ ବ୍ରଏଲର ଫାର୍ମ କରିଥିଲେ । ହେଲେ କ୍ଷତି ହେବା ଫଳରେ ସେ ଫାର୍ମ ବନ୍ଦ କରି ଜିଲ୍ଲା ବାହାରକୁ ଚାକିରୀ କରିବାଲାଗି ଯାଇଥିଲେ । ହେଲେ କରୋନା ପାଇଁ ଲକଡାଉନ୍ ହେବା ଫଳରେ ଚାକିରୀ ହରାଇଥିଲେ ସ୍ମିତାଙ୍କ ସ୍ୱାମୀ ଶରତ । କଂପାନୀ ବନ୍ଦ ହୋଇଯିବାରୁ ସେ ଗାଁକୁ ଫେରିଆସିଥିଲେ । ଘରେ ଖାଲିରେ ବସିଥିଲେ । ପରିବାର ଚଳାଇବା ଚିନ୍ତା ଘାରିଲା ସ୍ତ୍ରୀ ସ୍ମିତାଙ୍କୁ । ସ୍ମିତା ପୁଣି କୁକୁଡା ଫାର୍ମ ଆରମ୍ଭ କରିବାକୁ ଚିନ୍ତା କଲେ । ଆଉ ୟୁଟ୍ୟୁବ୍ ରୁ କଡକନାଥ କୁକୁଡା ବିଷୟରେ ଜାଣିବା ପରେ ଏହି ବିରଳ କଡକନାଥ କୁକୁଡା ଚାଷ କରିବା ପାଇଁ ମନ ବଳାଇଥିଲେ ।

କନ୍ଧମାଳ କାହିଁକି ରାଜ୍ୟରେ ଏଭଳି କୁକୁଡା ଚାଷ ବିରଳ । ଏହି କୁକୁଡା ଚାଷ କଲେ ଲାଭ ହେବ ଆଉ ପରିବାର କୌଣସିମତେ ଚଳାଇହେବ ବୋଲି ଭାବିଥିଲେ । ପାଖରେ ପଇସା ନଥିଲା । ଏକ ସ୍ୱୟଂ ସହାୟକ ବେସରକାରୀ ଗ୍ରୁପରୁ ୩୦ ହଜାର ଟଙ୍କା ଲୋନ୍ ଆଣିବା ସହ ପରିବାର ଓ ସଂପର୍କୀୟଙ୍କ ଠାରୁ ୨୦ ହଜାର ଟଙ୍କା ଋଣ ଆଣି ଏପ୍ରିଲ ମାସରେ ଭୁବନେଶ୍ୱର ଯାଇ ୬୦୦ କଡକନାଥ କୁକୁଡା ଚିଆଁ ଆଣି ପାଳିଲେ । ବର୍ତମାନ ଏହା ୫ଶହ, ୬ଶହ ଗ୍ରାମ ଓଜନର ହୋଇଗଲେଣି । ଏହା ୨ କେଜି ଯାଏଁ ବଢିବ । ଏହା ଏକ ବିରଳ ପ୍ରଜାତିର ଔଷଧିୟ କୁକୁଡା । ଦେଖିବାକୁ ରଙ୍ଗ କଳା, ଏହାର ମାଂସ, ଅଣ୍ଡା ଓ ଏପରିକି ରକ୍ତ ମଧ୍ୟ ପ୍ରାୟ କଳା ଦେଖାଯାଇଥାଏ । ଏହି କୁକୁଡା ମାଂସ ଖାଇଲେ ମଧୁମେହ ବା (ଡାଇବେଟିସ୍‌) ଓ ଶ୍ୱାସରୋଗୀଙ୍କ ପାଇଁ ଅତି ଉପକାରୀ । ଡାକ୍ତର ମଧ୍ୟ ଏହି ରୋଗୀଙ୍କୁ କଡକନାଥ କୁକୁଡା ମାଂସ ଖାଇବାକୁ କହୁଛନ୍ତି । ଏଣୁ, ଆଗାମୀ ଦିନରେ ଏହାର ବେଶ୍ ଚାହିଦା ବଢିବ ବୋଲି ସ୍ମିତା ଓ ଶରତ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି । କଡକନାଥ ପରି ବିରଳ କୁକୁଡା ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଦମ୍ପତି ।ହେଲେ ବର୍ତମାନ ଜିଲାରେ କରୋନା ସଂକ୍ରମଣ ଦୃତ ଗତିରେ ରାଲିଥିବାରୁ ସେ ଏହି କୁକୁଡା ଚାଷକୁ ପ୍ରଥମେ ବଂଚାଇବାକୁ ଚେଷ୍ଟା କରୁଛନ୍ତି । ପରେ ଅବସ୍ଥା ସୁଧୁରିଲେ ପୁଣି ଭଲ ଭାବରେ ଏହାକୁ ଚଳାଇବାର ଲକ୍ଷ ରଖିଛନ୍ତି ।

Leave A Reply