ମୁମ୍ବାଇ, ଅଗଷ୍ଟ ୨୯, ୨୦୨୪: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି। ଖୁବ୍ ଶୀଘ୍ର କମ୍ପାନୀ ଏହାର ଗ୍ରାହକମାନଙ୍କୁ ୧୦୦ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରିବ। ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ ଭଳି ଯେକୌଣସି ଜିନିଷ ଏହି ଷ୍ଟୋରେଜରେ ରଖାଯାଇପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୭ ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକ ମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି।
ଏହା ବ୍ୟତୀତ ଜିଓ ବ୍ରେନ୍ ଖୁବ୍ ଶୀଘ୍ର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଶୁଭାରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । କନେକଟେଡ଼ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଆସିବ। କମ୍ପାନୀ ଏହାକୁ ‘ସବୁଠାରେ ଏବଂ ସମସ୍ତଙ୍କ ପାଇଁ’ ଥିମ୍ ଭିତ୍ତିରେ ଆରମ୍ଭ କରିବ।
ବାସ୍ତବରେ, ଜିଓ ସାମଗ୍ରିକ ଭାବରେ ଏଆଇକୁ ପରିବେଷ୍ଟିତ କରୁଥିବା ଉପକରଣ ଏବଂ ପ୍ଲାଟଫର୍ମର ଏକ ବ୍ୟାପକ ସୁଟ୍ ବିକଶିତ କରୁଛି ଯାହାକୁ ‘ଜିଓ ବ୍ରେନ୍’ କୁହାଯାଉଛି। ଅମ୍ବାନୀ କହିଛନ୍ତି, “ମୁଁ ଆଶା କରୁଛି ଯେ ରିଲାଏନ୍ସ ମଧ୍ୟରେ ଜିଓ ବ୍ରେନକୁ ଉନ୍ନତ କରାଇ ଆମେ ଏକ ଶକ୍ତିଶାଳୀ ଏଆଇ ସେବା ପ୍ଲାଟଫର୍ମ ସୃଷ୍ଟି କରିବୁ। ଆମେ ଜାମନଗରରେ ଗିଗାୱାଟ ଆକାରର ଏଆଇ ପ୍ରସ୍ତୁତ ଡାଟା ସେଣ୍ଟର ସ୍ଥାପନ କରିବା ଯୋଜନା ପ୍ରସ୍ତୁତ କରୁଛୁ, ଯାହା ସମ୍ପୂର୍ଣ୍ଣ ଭାବରେ ରିଲାଏନ୍ସର ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ। ଆମର ଲକ୍ଷ୍ୟ ହେଉଛି ଭାରତରେ ବିଶ୍ୱର ସବୁଠାରୁ ସୁଲଭ ଏଆଇ ଇନଫରେନ୍ସିଂ ସୃଷ୍ଟି କରିବା। ଏହା ଦ୍ୱାରା ଭାରତରେ ଏଆଇ ଆପ୍ଲିକେସନ ଗୁଡିକ ଅଧିକ ସୁଲଭ ହେବ ଏବଂ ସମସ୍ତଙ୍କ ପାଇଁ ସୁଲଭ ହୋଇପାରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଅନେକ ନୂତନ ଏଆଇ ସେବା ଘୋଷଣା କରିଛନ୍ତି। ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଜିଓ ଟିଭି ଓଏସ, ହେଲୋ ଜିଓ, ଜିଓ ହୋମ ଆଇଓଟି ସମାଧାନ, ଜିଓ ହୋମ ଆପ୍ପ ଏବଂ ଜିଓ ଫୋନ କଲ ଏଆଇ।