ଵ୍ରହ୍ମପୁର , ୧୮/୭- ଏକ ଜିପ ଧକ୍କାରେ ଭିନ୍ନକ୍ଷମ ମା’ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ ବାଙ୍କତାରା ଗ୍ରାମର ମମତା ନାୟକ(୪୫) ଓ ତାଙ୍କ ଝିଅ ସଂଧ୍ୟାରଣୀ ନାୟକ (୨୨)। ଉଭୟ ଭିନ୍ନକ୍ଷମ ମହିଳା ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ପୋଲିସ କହିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଜିପ ନମ୍ବର (ଏମଏଚ ୧୪ ସିଏସ ୦୬୧୬) ଜବତ କରିଛି। ସେହିପରି ଚାଳକଙ୍କୁ ମାମଲା ନମ୍ବର ୩୩/୨୨ ଅନୁସାରେ ସୋମବାର ଗିରଫ କରିଥିବା କହିଛି। ସେ ହେଉଛନ୍ତି ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ନରେନ୍ଦ୍ର କୁମାର ସାହୁ (୪୦)। ଥାନାରେ ପୋଲିସ ବ୍ରେଥ ଏନାଲାଇଜ଼ର ଜରିଆରେ ନରେନ୍ଦ୍ର ସାହୁଙ୍କ ନିଶା ଗ୍ରହଣର ମାନ ଯାଞ୍ଚ କରିବା ସହ ଏସଂକ୍ରାନ୍ତରେ ମେଡିକାଲ ରିପୋର୍ଟ ସଂଗ୍ରହ କରିଥିବା କହିଛି। ପ୍ରବଳ ନିଶାଶକ୍ତ ଅବସ୍ଥାରେ ନରେନ୍ଦ୍ର ଗାଢ଼ି ଚଳାଇ ଏଭଳି ଦୁର୍ଘଟଣା ଘଟାଇଥିବା ପୋଲିସ କହିଛି।
ଘଟଣାରୁ ପ୍ରକାଶ ଯେ, ମମତା ନାୟକ ଓ ତାଙ୍କ ଝିଅ ସଂଧ୍ୟାରଣୀ କୌଣସି କାମରେ ଵ୍ରହ୍ମପୁର ଆସିଥିଲେ। ମା’ଝିଅ ରବିବାର ସନ୍ଧ୍ୟାରେ ସୁବାରାଓ ଛକରୁ ଖଲ୍ଲିକୋଟ କଲେଜ ପଟକୁ ଚାଲି ଚାଲି ଯାଉଥିଲେ। ଶ୍ରୀଟାୱାର ସମୂଖ ରାସ୍ତାରେ ଉଭୟ ଭିନ୍ନକ୍ଷମ ମହିଳାଙ୍କୁ ତାଙ୍କ ପଛପଟୁ ଉପରୋକ୍ତ ଜିପ
ଧକ୍କା ଦେଇଥିଲା। ଯାହାଫଳରେ ସେମାନେ ତଳେ ପଢିଯାଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଟ୍ରାଫିକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲ ପଠାଇଥିଲା । ସେହିପରି ଅଭିଯୁକ୍ତ ଜିପ ଚାଳକଙ୍କୁ କାବୁ କରାଯାଇଥିଲା ବୋଲି ପୋଲିସ କହିଛି।
