ରାୟଗଡା-୨୨/୩(ସ ବ୍ଯୁ)ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ସମ୍ମାନ। ରାୟଗଡ଼ା ଜିଲ୍ଲାରେ ଚକ ଅଖ ଦୋକାନ ବଜାର ବନ୍ଦ। କରୋନା ଭୁତାଣୁକୁ ମୁକାବିଲା କରିବା ପାଇଁ ସମସ୍ତେ ଏକ ହୋଇଛନ୍ତି। ଦେଶର ପ୍ରଧାନ ସେବକଙ୍କ ବାର୍ତ୍ତାକୁ ଜିଲ୍ଲାବାସୀ ଆଦର୍ଶ ରୁପେ ଗ୍ରହଣ କରିଛନ୍ତି।ଆଜିର ଜନତା କାର୍ଫ୍ୟୁର ଅଭୂତ ପୂର୍ବ ପ୍ରଭାବ ସହର ଠାରୁ ପଲ୍ଲୀ ଯାଏ ଦେଖିବାକୁ ମିଳିଛି।
ସହରର ରାସ୍ତା ଘାଟ ଠାରୁ ଆରମ୍ଭ କରି ବସ ଷ୍ଟାଣ୍ଡ ରେଳ ଷ୍ଟେସନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ସମସ୍ତ ସ୍ଥାନରେ ଖାଲି ଖାଁ ଖାଁ। ବସଷ୍ଟାଣ୍ଡରୁ କୌଣସି ବସ ଯାତାୟତ କରୁନଥିବା ବେଳେ ରେଳ ଷ୍ଟେସନ ସୁନଶାନ ହୋଇପଡିଛି । ଯେଉଁଠାରେ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଯାତ୍ରୀଙ୍କ କୋଳାହଳରେ ଫାଟି ପଡୁଥିଲା ତାହା ଆଜି ସୁନଶାନର ନୀରବତା ଛାଇଯାଇଛି।
ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ କୌଣସି ଗଳିକନ୍ଦିରେ ଲୋକଙ୍କ ଦେଖା ମିଳୁ ନାହିଁ। ସମସ୍ତ ଦୋକାନ ବଜାର ଏପରି କି ଅତ୍ୟାବଶ୍ୟକ, ଔଷଧ ଦୋକାନ ମଧ୍ୟ ବନ୍ଦ ରହିଛି। ଯଦିଓ ପ୍ରକୃତ କର୍ଫ୍ୟୁ ଜାରି ହୋଇନାହିଁ ତଥାପି ଆଜିର ଜନତା କଫ୍ୟୁରେ ଜନତାଙ୍କ ସତପ୍ରବୃତ ଭାବରେ ବନ୍ଦରେ ସାମିଲ ହୋଇଛନ୍ତି।
କେବଳ ସହରାଞ୍ଚଳରେ ନୁହେଁ ବରଂ ଦେଖିବାକୁ ମିଳିଛି ନିପଟ ମଫସଲ ଗ୍ରାମାଞ୍ଚଳରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ପ୍ରଭାବ ଦେଖିବାକୁ ମିଳିଛି।ଗାଁ ଗୁଡିକୁ ଦେଖିଲେ ଲାଗୁଛି ସତେ ଯେମିତି ମନୁଷ୍ୟ ଶୂନ୍ୟ ଗାଁ ଟିଏ। ହେଲେ ଆଜି ଏହି ଗାଁର ଖାଁ ଖାଁ ସ୍ଥିତି କହୁଛି କରୋନା ଭୁତାଣୁର ଭୟ କିପରି ଲୋକଙ୍କୁ ଘାରିଛି। ଏହି ମାରାତ୍ମକ କରୋନାରୁ ମୁକ୍ତି ପାଇବାକୁ ଗ୍ରାମାଞ୍ଚଳ ଲୋକେ ମଧ୍ୟ ଜନତା କାର୍ଫୁକୁ ସମ୍ମାନ ଦେଇ କେହିବି ଘରୁ ପଦାକୁ ଗୋଡ କାଢି ନାହାନ୍ତି।