ଜମନକିରା,୪/୭: ଜମନକିରା ବ୍ଲକ ଅନ୍ତର୍ଗତ ଟାଙ୍ଗରାଣୀ ଠାରେ ଅବସ୍ଥିତ ବଡ଼ମାଳ ଗ୍ରାମପଂଚାୟତ ଆବାସିକ ଉଚ୍ଚ ବିଦ୍ୟାଳୟରେ ଆଜି ଭାରତ ରାଷ୍ଟ୍ରର ଦୁଇ ଦୁଇ ଥର କାମଚଳା ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଗୁଲଜରୀଲାଲ ନନ୍ଦାଙ୍କ ଜୟନ୍ତୀ ଉତ୍ସବ ସହ ଦ୍ଵାଦଶ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ସ୍କୁଲ ପରିଚାଳନା ସଭାପତି ତଥା ପୂର୍ବତନ ବିଧାୟକ ବୃନ୍ଦାବନ ମାଝିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରଜାରିଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ବୃକ୍ଷ ଓ ମଣିଷଙ୍କ ଭିତରେ ଥିବା ନିର୍ଭରଶୀଳତା ସମ୍ପର୍କରେ ଆଲୋକପାତ କରି ବୃକ୍ଷ ଵିନା ବିଶ୍ୱ କାଙ୍ଗାଳ ହୋଇ ଯିବ ବୋଲି ମତ ପ୍ରକାଶ କରିଥିଲେ। ସ୍ଥାନୀୟ ବନପାଳ ଲକ୍ଷ୍ମୀ ନାରାୟଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସବୁଜ ଓଡିଶା ଗଠନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ନରେଶ ନାୟକ ଚଳିତ ବର୍ଷ ସମଗ୍ର ପଂଚାୟତରେ ବୃକ୍ଷରୋପଣ ପାଇଁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ ଦେଇଥିଲେ। କୁଚିଣ୍ଡା ଚାଇଲଡ ଲାଇନର ଟିମ ସଭ୍ୟା ଶ୍ଵେତାଙ୍ଗିନୀ ବାରିକ ତାଙ୍କ ଭାଷଣରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ପ୍ରାରମ୍ଭରେ ସହକାରୀ ଶିକ୍ଷକ ମାନସ ରଞ୍ଜନ ପଟେଲ କାର୍ଯ୍ୟକ୍ରମର ସୂଚନା ଦେଵା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ସହକାରୀ ବିଜ୍ଞାନ ଶିକ୍ଷକ ହରେକୃଷ୍ଣ ନାୟକ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ। ଅତିଥିଗଣ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଶେଷର ସ୍କୁଲର ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ !ଉତ୍ସବ ପ୍ରାରମ୍ଭରେ ଛାତ୍ରୀଗଣ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସଭାପରେ ଅତିଥି ଗଣଙ୍କ ସହ ଶିକ୍ଷକ ବୀରେନ୍ଦ୍ର ଦାସ, ପ୍ରମୋଦ ସାହୁ, ନମିତା ନାୟକ, ମିନାକ୍ଷୀ ପଟେଲ, ଖେଳ ଶିକ୍ଷକ ପ୍ରଦୀପ ନାୟକ, ରୁପେଶ ପଟେଲ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଛାତ୍ରୀ ବିଭିନ୍ନ ସ୍ଲୋଗାନ ଦେଇ ବନ ସୁରକ୍ଷା ସପକ୍ଷରେ ଜନ ଜାଗରଣ ସୃଷ୍ଟି କରିବା ସହ ବିଭିଧ ଚାରା ରୋପଣ କରିଥିଲେ।
