ଜମନକିରା,୨୧/୨: ଜଙ୍ଗଲ ଓ ପରିବେଶ ବିଭାଗ, ଜମନକିରା ରେଞ୍ଜ ପକ୍ଷରୁ ଜମନକିରା ଗ୍ରାମ ପଞ୍ଚାୟତର ଖଇରଡିହି ଗ୍ରାମରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଟି ଓ ସାମାଜିକ କର୍ମୀଙ୍କୁ ନେଇ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଜନ ସଚେତନତା କରାଯାଇଥିଲା। ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ ସୁବାସ ଚନ୍ଦ୍ର ନାୟକ ଓ ବିଭାଗୀୟ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବିଭିନ୍ନ ପ୍ଲାକାର୍ଡ ଧାରୀ ଓ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ସ୍ଥାନୀୟ ୱାର୍ଡ ସଭ୍ୟ ତଥା ଗ୍ରାମ୍ୟ କମିଟି ସଭାପତି କ୍ଷିରୋଦ ଦେହୁରୀ, ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ବିଂଧାଣି, ବନପାଳ ସୁନୀତା ନାଏକ, ବନରକ୍ଷି ଜୟନ୍ତୀ ରାମଜନ, ଦଳପତି ସନ୍ତୋଷ ସାମଲ, ସିଆରପି ଶିଖା ଦେହୁରୀ ପ୍ରମୁଖ ପରିଚାଳନା କରିଥିଲେ। ଏହା ପରେ ଗାଁ ମୁଣ୍ଡରେ ରେଞ୍ଜର ଶ୍ରୀ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଜନ ସଚେତନତା ସଭାରେ ସମାଜ ସେବୀ ଶ୍ରୀ ନାଏକ ଜଙ୍ଗଲ କ୍ଷୟ ଯୋଗୁଁ ସବୁ ପ୍ରକାର ସାମାଜିକ ଅସନ୍ତୁଲତା ପ୍ରକାଶ ପାଇ ସାମାଜିକ ବିତପାତ ସୃଷ୍ଟି ହେଉ ଥିବାରୁ ନିଆଁ ଲାଗାଇବାରୁ ବିରତ ରହିବା, ଜଙ୍ଗଲରେ ନିଆଁ ଲାଗିଲେ ସାଧାରଣ ଜନତା ନିଆଁ ଲିଭାଇବା ଦିଗରେ ସହଯୋଗ କରିବା ନେଇ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ମାତୃଶକ୍ତି, ମା ବିରଜା, କରମା, ଶକ୍ତି ବି, ବିଶ୍ଵ ଶକ୍ତି, ମା ବୈଷ୍ଣବୀ ,ଆଦିଶକ୍ତି ଆଦି ମହିଳା ସ୍ଵୟଂ ସହାୟକ ଗୋଷ୍ଟିର ସଭ୍ୟ ମାନଙ୍କ ସହ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ। ଅନୁରୂପ ଭାବେ ଅନ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କତରକେଳା ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ସଭା ଶେଷରେ ସାମାଜିକ କର୍ମୀ ଲକ୍ଷ୍ମୀ ବିନ୍ଧାଣି ଓ ସହକାରୀ ଶିକ୍ଷକ ରେବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
