Odisha news

ପ୍ରିମିୟମ ସ୍ୱର୍ଣ୍ଣ ଚାଷ କରି କ୍ଷତିଗ୍ରସ୍ତ କୃଷକଙ୍କ ସମାବେଶ

0

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅଞ୍ଚଳର ହଜାର ହଜାର ଚାଷୀ ସ୍ୱଳ୍ପ ମିଆଦି ପ୍ରିମିୟମ ସ୍ୱର୍ଣ୍ଣ ଧାନ ବିହନ ଚାଷ କରି କ୍ଷତିଗ୍ରସ୍ତ ହୋଇଥିବା କୃଷକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର କୃଷକ ଏକତା ମଂଚ ନାମରେ ଏକ ସଂଗଠନ ଗଠିତ ହୋଇ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ପାଇଁ ଲଢେଇ ହେବା ସମ୍ପର୍କରେ ସୂଚନା ଦିଆଯାଇଛି । ପ୍ରକାଶଯୋଗ୍ୟ ଜଳେଶ୍ୱର ବ୍ଲକ ଅଂଚଳର ବର୍ତ୍ତନା, ଖୁଲୁଡା, ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ, ରାୟାଁରାମଚନ୍ଦ୍ରପୁର, ଆରୁହା, ଗୋପୀମୋହନପୁର, ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ସୁଗୋ, ନଛିମପୁର ଇତ୍ୟାଦି ପଂଚାୟତର ହଜାର ହଜାର କୃଷକ ଚଳିତ ବର୍ଷ ପ୍ରିମିୟମ ସ୍ୱର୍ଣ୍ଣ ଧାନ ଚାଷ କରିଛନ୍ତି । କେତେକ ବିହନବିକ୍ରୟ କେନ୍ଦ୍ରରେ ୧୦ କିଲୋକୁ ୭୫୦ଟଙ୍କା ହିସାବରେ ଏହି ଧାନ ବିକ୍ରି ହୋଇଥିବା ବେଳେ ଏହାର ରୁଆ, ପୋତା ସମୟ ଓ ଅମଳ ସମୟ ପ୍ରତି ଥିଲେ ଅଜ୍ଞ ।

ତେଣୁ ଜୁନ୍ ଶେଷ ସପ୍ତାହରେ ବିହନ ତଳି ପକାଇ ଜୁଲାଇରେ ରୁଆପୋତା କରିଥିବା ଏହି ଧାନ ଗଛରୁ ଏବେ କେଣ୍ଡା ବାହାରିଛି । ଫଳରେ ଅମଳ କମିବା ଓ ଚାଷୀ କ୍ଷତି ସହିବା ନିଶ୍ଚିତ ହେବା ପରେ କୃଷକମାନଙ୍କ ପକ୍ଷରୁ ଏପରି ଏକ ସଂଗଠନ ଗଠିତ ହୋଇଛି । ଏହା ବ୍ୟତିତ ବନ୍ୟା ଓ ବାତ୍ୟାପରେ ଚାଷୀମାନଙ୍କୁ ସହାୟତା ଯୋଗାଇବା, ସମବାୟ ସମିତିରେ ସବୁ ଚାଷୀଙ୍କ ଅମଳ ଫସଲ କିଣିବାର ଗ୍ୟାରେଣ୍ଟି ଆଣିବା, ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ପ୍ରତିକାର କରିବା, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା ଓ ଶୀତଳ ଭଣ୍ଡାର ତଥା କୃଷି ପ୍ରକ୍ରିୟାକରଣ ସ୍ଥାପନ କରିବାଲାଗି କୃଷକ ଏକତା ମଂଚ କାର୍ଯ୍ୟ କରିବାପାଇଁ ବଦ୍ଧ ପରିକର ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା । ବଡନଗରଠାରେ ଏପରି ଏକ କୃଷକ ସମ୍ମିଳନୀ ଗତ ୨୭ ତାରିଖ ଅପରାହ୍ନ ୪ଟାରେ ଆହୂତ ହୋଇଥିଲା ।

ଏହି ସମ୍ମିଳନୀ ସର୍ବ ଦଳୀୟଭାବେ ହେବାର ପୂର୍ବରୁ ଗତ ୩୧-୮-୨୦ରେ ହୋଇଥିବା ବୈଠକରେ ସ୍ଥିର କରାଯାଇଥିଲା । ବୈଠକରେ ଅଧ୍ୟକ୍ଷତାରେ ଏଥିରେ ସୁଧିର କୁମାର ପାତ୍ର । ସମାଜସେବୀ ସୁଦର୍ଶନ ଦାସ, ସମୀର କୁମାର ପାତ୍ର, ସିଦ୍ଧାର୍ଥ ଶଙ୍କର ପାଳ, ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ବେଳେ ସ୍ଥାନୀୟ ନେତା ଭାବେ ସତ୍ୟନାରାୟଣ ବେହେରା, ବିଦ୍ୟାଧର ବେହେରା, ସୁଧିର ପ୍ରଧାନ, ରବିନ୍ଦ୍ର ନାରାୟଣ ଦାସ, ପଦ୍ମଲୋଚନ ବେହେରା ପ୍ରମୁଖ ଏଥିରେ ଯୋଗ ଦଇ କୃଷକ ଏକତା ମଂଚର ଲକ୍ଷ୍ୟ ଓ କୃଷକ ମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନର କୃଷକ ମାନଙ୍କ ସମସ୍ୟାଲାଗି ଏହି ସଂଗଠନ ଲଢେଇ କରିବ ବୋଲି ବକ୍ତାମାନେ କହିଥିଲେ । ଏ ସଂପର୍କରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ , ସ୍ଥାନୀୟ ବିଧାୟକ ଅଶ୍ୱିନୀ ପାତ୍ର ଓ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସଙ୍କୁ ଅବଗତ କରିଥିବା ସଂପର୍କରେ ପ୍ରକାଶ କରିଛନ୍ତି । ବିହନ କମ୍ପାନୀ ଠାରୁ କ୍ଷତିପୂରଣ ପାଇବାଲାଗି ଆଲୋଚନା କରାଯିବ ବୋଲି ଏହି ସର୍ବଦଳୀୟ ବୈଠକରେ ସ୍ଥିର କରାଯାଇଛି

Nalco
Leave A Reply