ଜଳେଶ୍ୱର : ଆନ୍ତରାଜ୍ୟ ନିଶାକାରବାରରେ ଜଳେଶ୍ୱର ହବ୍ ପାଲଟିଥିବା ବେଳେ ସୁବିଧା ସୁଯୋଗ ଅଭାବରୁ କର୍ମଚାରୀମାନେ ଏହାକୁ ରୋକିବାରେ ଅସମର୍ଥ ହେଉଛନ୍ତି । ଏକ ବର୍ଷ ଧରି ଜଳେଶ୍ୱର ଅବକାରୀ ଥାନାକୁ ୨ ଭାଗରେ ବିଭାକ୍ତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି ଦୁଇ ଥାନାରେ ଜଣେ ଓଆଇସି, ଜଣେ ଏଏସ୍ଆଇ ଓ ୪ଜଣ କନେଷ୍ଟବଳ ରହିଥିବା ଜଣାଯାଇଛି ।
ଜଳେଶ୍ୱର ଅବକାରୀ ଥାନା ଅଧିନରେ ରାଇବଣିଆ, କମର୍ଦ୍ଦା, ଭୋଗରାଇ ଓ ମେରାଇନ୍ ଥାନା ଅଂଚଳ ଥିବା ବେଳେ ୧୯୯୧ ଜାନୁଆରୀରୁ ଭୋଗରାଇରେ ଅନ୍ୟ ଏକ ଅବକାରୀ ଥାନା ପ୍ରତିଷ୍ଠା ହୋଇଛି । ଉଦୟପୁରର ସମୁଦ୍ରକୂଳ ଠାରୁ ରାଇବଣିଆର ସର୍ଦ୍ଦାରବନ୍ଧ ଶେଷ ଯାଏ ପ୍ରାୟ ୮୦ କିମି ଉଭୟର ଓଡିଶା ଓ ପଶ୍ଚିମବଂଗର ସୀମା ମୁକୁଳା ପଡିଛି । ପଶ୍ଚିମବଂଗରୁ ପ୍ରତିଦିନ ଓଡିଶାର ଏହି ଅଂଚଳକୁ ୮ହଜାର ଲିଟର ଚୋରା ମାଦକ ଦ୍ରବ୍ୟ ପ୍ରବେଶ କରୁଥିବାର ଏକ ସରକାରୀ ତଥ୍ୟରୁ ପ୍ରକାଶ ।
ଏହା ବ୍ୟତିତ ବଂଲାଦେଶ, ମୁର୍ଶିଦାବାଦ, ବର୍ଦ୍ଧମାନ, ଖଡଗପୁର ଓ କୋଲକତା ଅଂଚଳରୁ ସିଧାସଳଖ ବ୍ରାଉନ୍ସୁଗର ଜଳେଶ୍ୱର ଅଞ୍ଚଳକୁ ବିଭିନ୍ନ ଉପାୟରେ ଆସିଥାଏ । କିନ୍ତୁ ଜଳେଶ୍ୱର ଠାରେ ଅବକାରୀ ଥାନାରେ ମାତ୍ର ଜଣେ ଓଆଇସି, ୨ଜଣ ଏଏସଆଇ( ଜଣେ ମହିଳା), ୯ଜଣ କନେଷ୍ଟବଳ ପଦବୀ ରହିଛି । କିନ୍ତୁ ଏବେ ଜଣେ ଏଏସ୍ଆଇ ଓ ୭ଜଣ କନେଷ୍ଟବଳ ପଦବୀ ଖାଲି ପଡିଛି । ସେହିପରି ଭୋଗରାଇର ଏକ ଭଡାଘରେ ଅବକାରୀ କାର୍ଯ୍ୟାଳୟ ଚାଲିଥିବା ବେଳେ ସେଠାରେ ଜଣେ ଏଏସ୍ଆଇ , ୫ଜଣ କନେଷ୍ଟବଳ ରହିବାକୁ ଥିବା ବେଳେ ମାତ୍ର ୨ଜଣ କନେଷ୍ଟବଳ କାର୍ଯ୍ୟକରୁଛନ୍ତି । ୨ଟି ଥାନାରେ ଜଣେ ମାତ୍ର ଓଆଇସି ଥିବା ବେଳେ ଏମାନଙ୍କର ସରକାରୀ ଗାଡି ନ ଥିବା ବେଳେ ଚଡାଉ କରିବାକୁ ଗଲାବେଳେ ଭଡାରେ ଗାଡି ନେବାକୁ ପଡିଥାଏ । ଏପରିସ୍ଥଳେ ଅବକାରୀ ବିଭାଗ ମାଦକଦ୍ରବ୍ୟ ବ୍ୟବସାୟୀଙ୍କୁ ସମ୍ମୁଖୀନ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ତେଣୁ ଏହି ୨ ଥାନାରେ ୨ଜଣ ଇନିସ୍ପେକ୍ଟର, ୮ଜଣ ଏଏସ୍ଆଇ ଓ ୧୫ଜଣ କନେଷ୍ଟବଳ ସହିତ ସେମାନଙ୍କୁ ସରକାରୀ ଗାଡି ଯୋଗାଇବାକୁ ଦାବି ହେଉଛି ।