ଜଳେଶ୍ୱର : ଏବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଥିବା ବେଳେ ପୂର୍ବରୁ ବାଲି ବ୍ୟବସାୟୀମାନେ ଠୁଳ କରି ରଖିଥିବା ପାହାଡପରି ବାଲିସ୍ତୁପରୁ ବେଆଇନ୍ଭାବେ ଅଧିକ ମୂଲ୍ୟରେ ବାଲି ବିକ୍ରି କରିଚାଲିଛନ୍ତି । ରାଇବଣିଆ ଥାନା ଅଂଚଳରେ ଏବେ ଏପରି ବ୍ୟବସାୟ ବହୁଳ ପରିମାଣରେ ହେଉଛି । ଶ୍ରାବଣମାସ ଶେଷ ପର୍ଯ୍ୟନ୍ତ ଏପରିକି ୩/୪ଦିନ ପୂର୍ବ ଯାଏ ବର୍ଷା ହୋଇନଥିବାରୁ ସେ ଅଞ୍ଚଳର କେତେକ ନିଲାମ ଦିଆଯାଇନଥିବା ବାଲି ଖାଦାନରୁ ବାଲି ଉତ୍ତୋଳନ ହୋଇ ଆସୁଥିଲା । ଏ ସବୁ ବାଲି ପଶ୍ଚିମବଙ୍ଗର ନୟାଗ୍ରାମ ଓ ଗୋପିବଲ୍ଲଭପୁର ଥାନା ଅଞ୍ଚଳକୁ ଯାଉଥିବା ବେଳେ ଆଉ କେତେକ ରାଇବଣିଆ ଅଞ୍ଚଳକୁ ନିଆଯାଇ ଆସୁଛି ।
କେତେକ ବାଲି ଟ୍ରାକ୍ଟର ରାଇବଣିଆ ଥାନା ସମ୍ମୁଖ ଦେଇ ଗଲାବେଳେ ସେଥିପ୍ରତି ମଧ୍ୟ ପୁଲିସ୍ର ନିସ୍କି୍ରୟତା ଯୋଗୁଁ ବାଲି ବ୍ୟବସାୟୀମାନେ ଅବାଧରେ କାରବାର କରୁଛନ୍ତି । କେତେକ ବ୍ୟକ୍ତି ପ୍ରଶାସନକୁ ହାତବାରିସୀ କରି ଏପରି କାରବାର ଚଳାଇ ଆସୁଛନ୍ତି । ସେହିପରି ଜଳେଶ୍ୱର ଅଞ୍ଚଳର ବହୁ ସ୍ଥାନରେ ଏବେବି ବାଲି ସ୍ତୁପ ଦେଖିବାକୁ ମିଳୁଛି । ପୂର୍ବରୁ ବାଲି ଟ୍ରାକ୍ଟର ମୂଲ୍ୟରେ ୧୬ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ତାହା ଏବେ ୩ହଜାର ଟଙ୍କାରେ ପହଞ୍ଚିଛି । ବାଲି ବ୍ୟବସାୟୀମାନେ ଏପରି ବାଲି ବିକ୍ରିକରି ମାଲେମାଲ ହେଉଥିବା ବେଳେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ମାଲେମାଲ ହେଉଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟସରକାର, ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ।
