ଜଳେଶ୍ୱର : ଉଦ୍ୟାନ ବିଭାଗ ଦ୍ୱାରା ଚାଷୀଙ୍କୁ ଲାଭଜନକ ଫସଲ ଚାଷ କରିବାପାଇଁ ସରକାର କେତେକ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଜଲେଶ୍ୱର ବ୍ଲକରେ ତାର ସଫଳ ରୂପାୟନ ହୋଇ ପାରୁନାହିଁ । ଫଳରେ ଏହି ବିଭାଗ ଏବେ ସ୍ଥାଣୁ ପାଲଟିଛି । ଜଳେଶ୍ୱରରେ ଭୂମୀ ରୂପ କେଉଁଠି ଉଚ୍ଚ ତ କେଉଁଠି ତଳିଆ ଅଟେ । ଏଠାରେ ୪୭୪ ହେକ୍ଟର ଉଚ୍ଚ ଜମି, ୮୦୧୭ହେକ୍ଟର ସମତଳ ଓ ୧୧୦୭୯ ହେକ୍ଟର ତଳିଆ ଅଂଚଳ ରହିଛି । ଉଚ୍ଚ ଓ ସମତଳ ଅଞ୍ଚଳରେ ଉଦ୍ୟାନ ବିଭାଗ ପକ୍ଷରୁ ଫଳଚାଷ ନେଇ କେତେକ ଅନୀୟମିତତା ହେଉଥିବା ଅଭିଯୋଗ ହେଉଛି ।
ଚଳିତବର୍ଷ ୧୦୦ ହେକ୍ଟର ଜମିରେ କାଜୁ, ୧୦ ହେକ୍ଟର ଜମିରେ ଆମ୍ବ ଓ ଅନ୍ୟ ୧୦ ହେକ୍ଟର ଜମିରେ ନଡିଆଚାଷ ହେଉଥିବା ସୂଚନା ମିଳିଛି । ଏହି ସବୁ ଚାଷ ରାଇବଣିଆ ଅଞ୍ଚଳର ଖୁଆଡ, ଶ୍ୟାମନଗର, ପୁରୁଣାପାଣି, ବରଡିହା, କଳମା ଇତ୍ୟାଦି ପଂଚାୟତରେ ହେଉଥିବାର କହୁଯାଇଥିବା ବେଳେ ଏନ୍ଆର୍ଇଜିଏସ୍ କାର୍ଯ୍ୟନେଇ ଅସନ୍ତୋଷ ବଢିବାରେ ଲାଗିଛି । ଏ ସଂପର୍କରେ ଆଜି କେତେକ ଗଣମାଧ୍ୟମ ପ୍ରତିନିଧି ଉଦ୍ୟାନ ବିଭାଗର କାର୍ଯ୍ୟାଳୟକୁ ଯାଇଥିବାବେଳେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ତାଲା ପଡିଥିବାର ଦେଖିବାକୁ ମିଳିଛି ।
ଏ ସଂପର୍କରେ ସହକାରୀ ଉଦ୍ୟାନବିତ୍ ଓ ବିଭାଗୀୟ ଡେପୁଟି ଡାଇରେକ୍ଟରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । କାର୍ଯ୍ୟାଳୟରେ ତାଲା ପଡିବା ଏବଂ ଏଠାରେ ଉପ ଉଦ୍ୟାନବିତ୍ ,୨ଜଣ ସମ୍ପ୍ରସାରଣ ଅଧିକାରୀ ଓ ୩ଜଣ ଉଦ୍ୟାନସାଥି ନିଯୁକ୍ତି ପାଇଥିଲେ ମଧ୍ୟ ଜଣେହେଲେ କେହି ରହୁନଥିବାରୁ ଚାଷୀମାନେ ବାରମ୍ବାର ଆସି ଫେରୁଥିବା ଅଭିଯୋଗ ହୋଇଛି । କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
