ଯାଜପୁରସଦର-୨୧/୦୮ : ଯାଜପୁରସଦର ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ସେତୁ ତଳେ ଏକ ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ୍ କୁ ସୂଚନା ଦେଇଥିଲେ । ସୁଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଁଚି ମୃତ ନା ବାଳିକାର ଶବକୁ ଉଦ୍ଧାର କରିଥିଲେ । ନା ବାଳିକାର ପରିଚୟ ଜଣାପଡିବା ପରେ ତାକୁ ଅପହରଣ କରାଯାଇ ହତ୍ୟା କରି ନଦୀକୁ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଏହି ଥାନା ଅନ୍ତର୍ଗତ ଝାଲପଡା ପଂଚାୟତର କାକୁଡିକୁଦ ଗ୍ରାମର ଜୟନ୍ତ ପତିଙ୍କ ଝିଅ ସାବିତ୍ରୀ(୧୭) ଗତ ୧୭ ତାରିଖରେ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ସନ୍ଧାନ ନମିଳିବାରୁ ତା ପରଦିନ ସକାଳୁ ପରିବାର ପକ୍ଷରୁ ଥାନାରେ ଲିଖିତ ଆକାରରେ ଅଭିଯୋଗ କରାଯାଇଥିଲା । ଦିର୍ଘ ୩ଦିନ ପରେ ବ୍ରାହ୍ମଣୀ ନଦୀରୁ ଶବ ଉଦ୍ଧାର ହେଲା ପରେ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ପକ୍ଷରୁ କୁହାଯାଇଛି ।
ଏ ନେଇ ପୁଲିସ୍ ପକ୍ଷରୁ ଥାନାରେ କେସ୍ ନଂ ୧୪୫/୨୦ ରେ ମାମଲା ରୁଜ୍ଜୁ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।