Odisha news

ପୁଲିସ ଗାଡ଼ି ଉପରକୁ ପଥର ମାଡ ଘଟଣା; ରାତିଯାକ ଛାନଭିନ , ଗିରଫ ଭୟରେ ଖଣ୍ଡାହତା ତଳସାହି ପୁରୁଷ ଶୂନ୍ୟ

0

ବ୍ୟାସନଗର : ବ୍ୟାସନଗର ପୈାରାଞ୍ଚଳର ଖଣ୍ଡାହତାରେ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁ ମୁହିଁ ଏବଂ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରାଯିବା ଭଳି ଘଟଣାରେ ୪ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ପୁଲିସ ଗାଡ଼ି ଉପରକୁ ପଥର ଓ ଠେଙ୍ଗା ମାଡ଼ ଘଟଣାରେ ୧୫ରୁ ଅଧିକ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ରାତିଯାକ ଖଣ୍ଡାହତା ଗ୍ରାମର ତଳସାହିରେ  ଡ଼େରା ପକାଇଥିଲା । କିନ୍ତୁ ଗିରଫ ଭୟରେ ସାହିର ପୁରୁଷ ମାନେ ଘର ଛାଡ଼ି ଚମ୍ପଟ ମାରିଥିଲେ । ଫଳରେ ଖଣ୍ଡାହତାର ତଳସାହି ସଂପୂର୍ଣ୍ଣ ପୁରୁଷ ଶୂନ୍ୟ ହୋଇପଡ଼ିିଛି ।

ଫେରାର ଥିବା ଅଭିଯୁକ୍ତ କେଉଁଠି ଅଛନ୍ତି, ତାର ଖୋଜଖବର ନେଉଛି ପୁଲିସ ।  ଯେଉଁ ମାନେ ପୁଲିସ କାର୍ଯ୍ୟରେ ହସ୍ତକ୍ଷେପ କରିଥିଲେ ଏବଂ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ ସେମାନଙ୍କୁ କୈାଣସି ମତେ ଛଡ଼ାଯିବନି ବୋଲି ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସୂଚନା ଥାଉକି ସୋମବାର ସନ୍ଧ୍ୟାରେ ଖଣ୍ଡାହତା ଗ୍ରାମରେ ପୁଲିସ ଗାଡ଼ି ଉପରକୁ ପଥର ଓ ଠେଙ୍ଗା ମାଡ଼ ହୋଇଥିଲା  । ଘଟଣା ପଛରେ ପୂର୍ବଶତ୍ରୁତା ରହିଥିବା ବେଳେ  ଦେଢମାସ ତଳେ ଜନୈକା ମହିଳାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ସହ ଫେରାର ହେବା ଘଟଣାକୁ ନେଇ ଉତ୍ତେଜନା ଲାଗିରହିଥିଲା । ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଶ୍ରୀଧର ଦାସଙ୍କ ଅଭିଯୋଗ କ୍ରମେ ପୁଲିସ ମିଥୁନ ସ୍ୱାଇଁ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସଂପୃକ୍ତ ଯୁବକ  ଜାମିନ୍ରେ ଆସିବା ପରେ ଅଭିଯୋଗ  କରିଥିବା ଶ୍ରୀ ଦାସଙ୍କୁ ଉଠାଇ ନେଇ ଜଣକ ଘରେ ରଖି ମାରଧର କରିଥିଲେ । ଯାହାର ଖବର ପାଇବା ପରେ ସେହି ଗ୍ରାମର ଜଣେ ବ୍ୟକ୍ତି ଶ୍ରୀ ଦାସଙ୍କୁ ଉଦ୍ଧାର କରିଥିଲେ । ସଂପୃକ୍ତ ଯୁବକ ଉଦ୍ଧାର କରିଥିବା ମାଧ ସ୍ୱାଇଁଙ୍କୁ ମାରଧର କରିବା ପରେ ସେ ଥାନାରେ ଶ୍ରୀ ସ୍ୱାଇଁଙ୍କ ସମେତ ୫ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ଅଭିଯୁକ୍ତ ଜାମିନ୍ରେ ଆସି ଗାଁ ଉପରସାହିରେ ଚକର ମାରିବା ସହ ମହିଳା ଓ ଝିଅଙ୍କୁ କମେଟ ମାରିଥିଲେ । ଯାହାକୁ ଉପରସାହିର ଲୋକେ  ଦୁଇଜଣଙ୍କୁ ଅଟକାଇ କ୍ଲବ ଘରେ ରଖି ପୁଲିସକୁ ଖବର ଦେଇଥିଲେ । ଥାନା ଏଏସଆଇ ମନୋଜ ବାରା ଏବଂ କିଛି ଫୋର୍ସ କ୍ଲବ ଘର ନିକଟରେ ପହଁଚି ଅଟକ ଦୁଇଜଣଙ୍କୁ ଗାଡ଼ିରେ ଧରି ଫେରୁଥିବା ବେଳେ ତଳସାହିର କିଛି ଯୁବକ ଅଟକାଇ ଘେରିବା ପରେ ପଥର ଓ ଠେଙ୍ଗା ମାଡ଼ କରିଥିଲେ ।

Leave A Reply