ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଅଲିପୁର ପଂଚାୟତ ଓ ବାଲିବିଲ ପଂଚାୟତର କେଁକରଡା ଠାରେ ପାଟନାଳି ପୁର୍ନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଲିପୁରର ଶାରଦା ପାଟ ନାଳି ଓ ବାଲିବିଲର ପଲ୍ଲିଶ୍ରୀ ନାଳି ପୁର୍ନଃଉଦ୍ଧାର ପାଇଁ ମୋଟ ୮ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇ ଠିକାଦାର ଜରିଆରେ ଖନନ କାମ ଚାଲିଛି । ଶାରଦା ପାଟ ନାଳି ୧.୫ କି.ମି ଖନନ କରିବାକୁ ଥିଲାବେଳେ ପଲ୍ଲିଶ୍ରୀ ନାଳ ୧୨ ଶହ ମିଟର ଖନନ ହେବ ବୋଲି ସୂଚନା ମିଳିଛି । ଗଭୀର ୩ ଫୁଟ , ଚଉଡା ୩ ମିଟର ରହିବାର ନିୟମ ରହିଛି । ଏ ନେଇ ଠିକାଦାର ସୂଚନାଫଳକ କାର୍ଯ୍ୟସ୍ଥଳିରେ ଲଗାଇ ନାହିଁ । ଯାହାଫଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହି କାମରେ ଅନିୟମିତତା ନେଇ ସ୍ଥାନୀୟ ଅଂଚଳର ଶତାଧିକ ଚାଷି ସରପଂଚ ପ୍ରମୁଖ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପାଇ ବିଭାଗୀୟ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଫେରିଥିଲାବେଳେ ବିଧାୟିକା ସୁନନ୍ଦା ଦାସ ପରିଦର୍ଶନ କରି ଫେରିଯାଇଥିବା ଜଣାପଡିଛି । ତେବେ ନିୟମ ଅନୁଯାୟୀ ଖନନ କରିବାକୁ ଠିକାଦାରକୁ ତାଗିଦ୍ କରାଯାଇଛି । ଅପରପକ୍ଷେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଖନନ ନାଁରେ ସରକାରୀ ଅର୍ଥ ଲୁଟି ନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଦର୍ଶାଯାଇଛି ।
ଏହି ପାଟନାଳି ପୁର୍ନଃଉଦ୍ଧାର ହେଲେ ଦୁଇଟି ପଂଚାୟତର ଶତାଧିକ ଚାଷି ଉପକୃତ ହେବା ସହିତ ଚାଷ କ୍ଷେତ୍ରରେ ଜମି ରହୁଥିବା ପାଣି ନିଷ୍କାସନ ହୋଇପାରିବ ବୋଲି କୁହାଯାଇଛି । ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ଏଷ୍ଟମେଟ୍ ଅନୁଯାୟୀ କାମ ଚାଲିଛ, ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି । ତେବେ ପୋତି ହୋଇପଡୁଥିବା ପାଟନାଳି ପୁର୍ନଃଉଦ୍ଧାର ପାଇଁ ସାଧାରଣରେ ଦାବି କରାଯାଇଛି । ବରୀରେ ୧୦ ରୁ ଉର୍ଦ୍ଧ ପାଟନାଳି ପୋତି ହୋଇ ପଡିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
