ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବଳଦିଆ ଗ୍ରାମପଞ୍ଚାୟତରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା । ଯାଜପୁର ଠାରେ ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ରୁପାୟୀ ଟୁଡୁ(୩୫) ତାଙ୍କ ପରିବାରଙ୍କୁ ନେଇ ୭ଦିନ ଧରି ଖାଲିପାଦରେ ଚାଲିଚାଲି ଦୀର୍ଘ ୧୭୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ବଳଦିଆ ଗ୍ରାମରେ ଆସି ପହଞ୍ଚି ଥିଲେ ।
ସମସ୍ତଙ୍କୁ ଚକିତ କରିଥିଲା ତଥା ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ବିଚଳିତ କରିଦେଇଥିଲା ଯେ, ରୂପାୟୀ ଶ୍ରବଣ କୁମାର ପରି କାନ୍ଧରେ ଏକ ଭାର ସାହାଯ୍ୟରେ ୪ବର୍ଷ ଓ ଅଢେଇବର୍ଷର ଦୁଇଜଣ ଶିଶୁଙ୍କୁ ବୋହି ଖାଲିପାଦରେ ଚାଲିବା ସହ ତାଙ୍କ ସାଙ୍ଗରେ ତାଙ୍କର ସ୍ତ୍ରୀ ଓ ୬ବର୍ଷର ଝିଅ ମଧ୍ୟ ଚାଲିଚାଲି ଆସି ସମୂହ ପରିବାର ଗ୍ରାମରେ ପହଞ୍ଚି ଥିଲେ । ଏହି ପରିବାରଟି ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ନା ତାଙ୍କ ପାଖରେ ଅଛି ଖାଦ୍ୟ ନା ଜିଇଁବା ପାଇଁ କୌଣସି ସାହାରା ।
ଏହି ଖବର ପାଇ ରାଜ୍ୟ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ଏହି ପରିବାର ଦୁଃଖକୁ ବୁଝିପାରି ଦୁଃଖଲାଘବ କରିବା ପାଇଁ ଚେଷ୍ଟା କରିବା ସଙ୍ଗେସଙ୍ଗେ ସେମାନଙ୍କୁ ଚାଉଳ, ଡାଲି ଓ ରୋଷେଇ ସାମଗ୍ରୀ ସହ କିଛି ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ଏଥିସହ ରୁପାୟୀଙ୍କ ପରିବାର ସହ ମୋଟ୍ ୧୩ଜଣଙ୍କର ସମସ୍ତ ଖାଦ୍ୟପାନୀୟ ତଥା ତାଙ୍କର ସମସ୍ତ ମୌଳିକ ସମସ୍ୟାକୁ ପୂରଣ କରିବା ପାଇଁ ଦେବାଶିଷ ଯଥାସାଦ୍ୟ ଉଦ୍ୟମ କରିବେ ବୋଲି କହିଥିଲେ । ଦେବାଶିଷଙ୍କ ଏହପରି ମହନୀୟ କାର୍ଯ୍ୟକୁ ସବୁରି ମହଲରେ ପ୍ରଶଂସା କରାଯାଇଛି ।