ଯାଜପୁର, : ଗୁଜୁରାଟର ଅହମଦାବାଦସ୍ଥିତ ଏକ କପଡା ଷ୍ଟିକରିଂ କମ୍ପାନୀ ଲୋଟସଲେବଲରେ ଅଗ୍ନିକାଣ୍ଡ ଘଟି ୨୨ତାରିଖ ସନ୍ଧ୍ୟାରେ ୭ଜଣଙ୍କ ମୃତୁ୍ୟ ଘଟିଥିଲା । ତନ୍ମଧ୍ୟରୁ ୩ଜଣ ଓଡିଆ ଶ୍ରମିକ ଥିବାର ସୂଚନା ମିଳିଛି । ଏମାନେ ହେଲେ ଯାଜପୁର ସଦର ଥାନା ନିକଟସ୍ଥ ରେକାବୀ ବଜାରର ସ୍ୱର୍ଗତଃ ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ପୁୁଅ ଦୟାନିଧି ଖୁଣ୍ଟିଆ (୩୩) , ଏବଂ ତାଙ୍କର ଦାଦା ପୁଅ ଭାଇ ଚିନ୍ମୟ ଖୁଣ୍ଟିଆ (୨୪) ଓ ଅଶୋକ କୁମାର ସିଂଙ୍କ ପୁତ୍ର କାମେଶ ସିଂ (୨୨) । ଏମାନେ ସମସ୍ତେ ୪ବର୍ଷ ହେଲା ଲୋଟସ ଲେବଲ କମ୍ପାନୀରେ କାମ କରିଆସୁଥିଲେ ।
ଗତକାଲି ସଂଧ୍ୟାରେ କାର୍ଯ୍ୟରତ ଅବସ୍ଥାରେ ଗ୍ୟାସ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ମୃତ ୭ଜଣଯାକ ବିଲ୍ଡିଂର ତୃତୀୟ ମହଲାରେ କାମ କରୁଥିଲେ । କପଡା ଏବଂ ରଙ୍ଗରେ ଲାଗିଥିବା ନିଆଁର ଏତେ ପ୍ରକୋପ ଥିଲା ଯେ ସେଠାରୁ ବାହାରକୁ ଆସିବା ଅସମ୍ଭବ ହୋଇପଡିଥିଲା । ଧୂଆଁ ଏବଂ ନିଆଁର ପ୍ରକୋପରେ ଅଣନିଶ୍ୱାସୀ ହୋଇ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ଯାଇଥିବା ରେକାବୀ ବଜାରର ୩ଜଣ ଯୁବକ ପ୍ରାଣ ହରାଇଥିଲେ । ମୃତ ଦୟାନିଧି ଖୁଣ୍ଟିଆ ବିବାହିତ । ତାଙ୍କ ଘରେ ୨ଟି ଛୋଟ ଝିଅ ସହ ସ୍ତ୍ରୀ ଓ ରୋଗୀଣା ବାପା ମାଆ ଅଛନ୍ତି । ଦେଢ ବର୍ଷ ହେଲା ସେମାନେ ଘରକୁ ଆସି ନଥିଲେ । ଆସନ୍ତା ୨୪ ତାରିଖରେ ଘରକୁ ଆସିବେ ବୋଲି ସେମାନେ ନିଜ ନିଜ ଘରକୁ ଫୋନରେ ଜଣାଇଥିଲେ । ଟ୍ରେନ ଟିକଟ ହୋଇଯାଇଥିଲା । କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର ।
ତା ପୂର୍ବରୁ ଘଟିଗଲା ଏହି ମର୍ମଦୁନ୍ତ ଅଗ୍ନିକାଣ୍ଡ । ସ୍ତବ୍ଧ ହୋଇଯାଇଛି ଯମଧର ଗ୍ରାମ । ବିଶ୍ୱାସ କରିପାରୁ ନାହାନ୍ତି ଗ୍ରମବାସୀ । ଆଜି ସକାଳୁ ପ୍ରଶାସନ ଖବର ପାଇବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ ସମସ୍ତେ ଯାଇ ମୃତକଙ୍କ ପରିବାରକୁ ଭେଟିଥିଲେ ଏବଂ ମୃତକଙ୍କ ଶବକୁ କେମିତି ଅହମଦାବାଦରୁ ଯାଜପୁରକୁ ଆସିବ ସେ ପ୍ରତିଶୃତି ଦେଇଥିଲେ । ଯାଜପୁର ବିଧାୟକଙ୍କ ପ୍ରତିନିଧି ସେଠାରେ ପହଙ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ଆସନ୍ତା କାଲି ଏମାନଙ୍କ ମୃତଦେହ ଯାଜପୁରରେ ପହଞ୍ଚିବ ବୋଲି ସୂଚନା ମିଳିଛି ।