Odisha news

୪.୭୭ ଲକ୍ଷ ଜାଲନୋଟ ସହ ଟଙ୍କା ଜବଦ; ୬କୋର୍ଟ ଚାଲାଣ

0

ବ୍ୟାସନଗର,୧୨ା୨: ଯାଜପୁର ରୋଡ଼ ପୁଲିସ ଜାଲ ନୋଟ ର୍ୟାକେଟର ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪.୭୭ ଲକ୍ଷ ଟଙ୍କା ଜବଦ କରିଛି । ଯାଜପୁର ଜିଲା ସମେତ ଭଦ୍ରକ, ଢେଙ୍କାନାଳ, ଭୁବନ, ସାଲେପୁର, କେନ୍ଦୁପାଟଣା, ଭୁବନେଶ୍ୱର ଆଦି ଅଞ୍ଚଳ ମାନଙ୍କରେ ଜାଲନୋଟ କାରବାର କରି ଆସୁଥିବା ଏକ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡକୁ ଦାନଗଦୀ ହାଟରୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଗିରଫ କରିଥିଲା । ପୁଲିସ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଜିଣା ଗ୍ରାମର ଅର୍ଜୁନ ବଳଙ୍କ ପୁଅ ଚନ୍ଦନ ଓରଫ ଚନ୍ଦ୍ରମଣି(୩୫)ଘରେ ଚଢାଉ କରି ଜାଲନୋଟ ଛପାଯାଉଥିବା ପ୍ରିଣ୍ଟର, କାଗଜ, ସ୍କେଲ, ଲିକୁଡ଼ି, କଟର ସମେତ ନଗତ ୩.୬୫ ଲକ୍ଷ ଟଙ୍କା ଜବଦ କରିଥିଲେ । ପୁଲିସ ମାଷ୍ଟର ମାଇଣ୍ଡ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ଗ୍ରାମର ବାଇଧର ସେଠୀଙ୍କ ପୁଅ ବାପିନ୍(୨୩)କୁ ଦାନଗଦୀ ହାଟରୁ ଗିରଫ କରିଥିବା ବେଳେ ତା ପାଖରୁ ନଗଦ ୭ହଜାର ଟଙ୍କା ଜାଲ ନୋଟ ଜବଦ କରିଥିଲେ । ପୁଲିସ ପରବର୍ତି ସମୟରେ ଛାନ୍ ବିନ୍ କରିବା ପରେ ୪ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ମଧ୍ୟରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ନୀଳମାଧବ ଦାସଙ୍କ ପୁଅ ମନୋଜ(୩୧), ଧପଙ୍କି ଗ୍ରାମର ଜଟେଶ୍ୱର ଜେନାଙ୍କ ପୁଅ ତପନ(୨୬), ଢେଙ୍କାନାଳ ଜିଲାର ଭୁବନ ଗ୍ରାମର ସନାତନ ସାହୁଙ୍କ ପୁଅ ଅଜୟ(୨୪), ସେହିଗ୍ରାମର ମାୟାଧର ପାତ୍ର(୬୪)ଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ଠାରୁ ୧.୬୫ଲକ୍ଷ ଟଙ୍କା ସହ ୩ଟି ମୋବାଇଲ, ୨ଟା ବାଇକ ଜବଦ କରିଥିଲା ପୁଲିସ । ପୁଲିସ ସୂଚନା ମତେ ଅଭିଯୁକ୍ତ ଗଲା ସପ୍ତାହରେ ଦାନଗଦୀ ହାଟରେ ଜାଲ ନୋଟ କାରବାର କରିବାକୁ ଉଦ୍ୟମ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଦାନଗଦୀ ଫାଣ୍ଡି ପୁଲିସ ସହ ଯାଜପୁର ରୋଡ଼ ପୁଲିସ ଚନ୍ଦନ ଏବଂ ବାପିନକୁ ରଙ୍ଗେହାତ ଧରିଥିଲା । ଅଭିଯୁକ୍ତ ଯାଜପୁର ଜିଲା ସମେତ ଉପରୋକ୍ତ ଜିଲା ମାନଙ୍କରେ ଜାଲ ନୋଟ କାରବାର କରିବାକୁ ନେଟୱାର୍କ ଲଗାଇଥିଲେ । ତେବେ ଅଭିଯୁକ୍ତ କେତେ ଜାଲ ନୋଟ୍ ମାର୍କେଟକୁ ଛାଡ଼ିଛନ୍ତି, ତାହାର ଅନୁଧ୍ୟାନ କରାଯାଉଛି ବୋଲି ଆଜି ଏସପି ଚରଣ ସିଂ ମିନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଜାଲନୋଟ ର୍ୟାକେଟ କେବଳ କେତେକ ଜିଲାରେ ସିମିତ ନାହିଁ ମଧ୍ୟପ୍ରଦେଶକୁ ମଧ୍ୟ ଏହାର ଚେର ଲମ୍ବିଛି । ଯାହା ତଦନ୍ତ କରଯାଉଥିବା ଏସପି କହିଥିବା ବେଳେ ଚନ୍ଦ୍ରମଣି ୨୦୧୭ ମସିହାରେ ଜାଲ ନୋଟ କାରବାର ବେଳେ କାଳିଆପାଣି ପୁଲିସ ଦ୍ୱାରା ଗିରଫ ହୋଇଥିଲା । ସେତେ ବେଳେ କାଳିଆପାଣି ପୁଲିସ ୧୨/୧୭ରେ ମାମଲା ରୁଜୁ କରି ଚନ୍ଦ୍ରମଣିକୁ କୋର୍ଟ ଚାଲାଣ କରିଥିଲା । ଚନ୍ଦ୍ରମଣି ଜେଲରୁ ଫେରିବା ପରେ ପୁଣି ସେହି କାରବାର ଆରମ୍ଭ କରିଥିଲା । ଚନ୍ଦ୍ରମଣି ଏହି କାରବାରେ ଅନେକ ଯୁବକକୁ ସାମିଲ କରି ସେମାନଙ୍କୁ ଲକ୍ଷେ ଟଙ୍କା ଜାଲି ନୋଟ ଦେଇ ୨୫ହଜାର ଟଙ୍କା ଅସଲି ନୋଟ ନେଇଥାଏ । ନେଟୱାର୍କ ଲମ୍ବିଥିବା ସ୍ଥାନ ଯାଏ ପହଁଚିବାକୁ ପୁଲିସ ଉଦ୍ୟମକରିଥିବା ବେଳେ ଗିରଫ ଚନ୍ଦ୍ରମଣି ଓ ବାପିନ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବା ସହ ଭୁବନେଶ୍ୱର ଓ କଟକରେ ବହୁ ବଡ଼ବଡ଼ିଆଙ୍କ ଲିଙ୍କ୍ର ଖୁଲାସା କରାଯିବ ବୋଲି ଏସପି ସୂଚନା ଦେଇଥିଲେ । ଚଢାଉରେ ଏସଡ଼ିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ, ମନୋରଂଜନ ନାୟକ, ପବିତ୍ର ମହାରଣା, ମନୋଜ ବାରା, ରଜେଶ ସେଠୀ, ସୁବାଷ ମୁଦୁଲି, ମିନତୀ ବେହେରା ପ୍ରମୂଖ ସାମିଲ ହୋଇଥିଲେ । ଏହି ଜାଲ ନୋଟ ଧରପଗଡ଼କୁ ନେଇ ବ୍ୟାସନଗର ସହରରେ କୋକୁଆ ଭୟ ସୃଷ୍ଠି ହୋଇଛି ।

Leave A Reply

Your email address will not be published.