ଉଦୟଗିରି : ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଚଳିତ ପ୍ରଳୟଙ୍କାରୀ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ବ୍ଲକ ଦେଇ ପ୍ରବାହିତ ବିରୂପା, ଗେଙ୍ଗୁଟି, କେଲୁଅ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁ ଚାରିନଙ୍ଗଳ, ପତରାଜପୁର, ବାଲିଚନ୍ଦ୍ରପୁର,ମଝିପଡା, ଗୋପାଳପୁର, ବାଲିପଡିଆ, ମାଣ୍ଡୁକା ଆଦି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ସବୁ ପଞ୍ଚାୟତର ମଝିପଡା, ଚଣ୍ଡିଆ,ବନମାଳିପୁର,ଗୋପାଳପୁର, କଳାଶ୍ରୀ, ଗଜେନ୍ଦ୍ରପୁର, ଆମ୍ବସୌରୀ , ଚାରିନଙ୍ଗଳ, ରୁକୁଟିପାଟ, ପତରାଜପୁର, ନାନପୁର, ଖଡକପୁର, ଦେକୁରୀ ଆଦି ଗ୍ରାମ ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ରୂପେ ବିଛିନ୍ନ୍ ହୋଇଛି ।
ଶହ ଶହ ଘର ପାଣିରେ ବୁଡୁରହିଥିବାରୁ ଲୋକେ ନିଜ ପରିବାର ସହ ଗୃହପାଳିତ ପଶୁଙ୍କୁ ନେଇ ବିଭିନ୍ନ ଉଚ୍ଚସ୍ଥାନରେ ଅତ୍ୟନ୍ତ ଦୟନିୟ ଭାବେ ଜୀବନ ବିତାଉଛନ୍ତି । ସେହିପରି ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା ସୀମାନ୍ତରେ ରହିଥିବା ବେଣୀପୁର ଘେରିବନ୍ଧରେ ଶୁକ୍ରବାର ସନ୍ଧ୍ୟାରେ ଏକ ଘାଇ ସୃଷ୍ଟି ହେବା ଯୋଗୁ ବଡଚଣା ବ୍ଲକର ଦେକୁରୀଗ୍ରାମ ସମ୍ପୁର୍ଣ୍ଣ ବୁଡିଯାଇଛି । ଏପରିକି ଦେକୁରୀ ଗ୍ରାମର କୌଣସି ଲୋକେ ନିଜ ଆସବାବପତ୍ର ଘରୁ ବାହାର କରିପାରିନାହନ୍ତି । କେତେକ ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ଅନେକ ଗ୍ରାମଛାଡି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ସେହିପରି ଚଣ୍ଡିଆ,କଳାଶ୍ରୀ, ଚାରିନଙ୍ଗଳ, ଗୋପାଳପୁର ଆଦି ଗ୍ରାମର ଅନେକ ଲୋକ ଏବେ ଗ୍ରାମଛାଡି ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି ।
ଏହି ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ସମ୍ପୁର୍ଣ୍ଣ ବୁଡୁରହିଥିବା ବେଳେ ଶହଶହ କଚ୍ଚାଘର ଭାଙ୍ଗିଯାଇଛି । ଅନେକ ଲୋକେ ଭୋକ ଉପାସରେ ବିଭିନ୍ନ ଉଚ୍ଚସ୍ଥାନରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହୟତା ପ୍ରଦାନ କରାଯାଇନାହିଁ । ବନ୍ୟାଞ୍ଚଳରେ ପ୍ରତି ଗ୍ରାମର ନଳକୂପ, କୂଅ ଆଦି ବୁଡିଯାଇଥିବାରୁ ଲୋକମାନେ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି । ସେହି ବନ୍ୟାଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବିହୋଇଛି ।
ଅଗ୍ନିଶମ ବିଭାଗ ଓ ବ୍ଲକ ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ବୋଟ ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ବି ଅନେକ ସ୍ଥାନରେ ଲୋକେ ଏବେବି ଜଳବନ୍ଦି ରହିଛନ୍ତି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣୀ ନାୟକ,ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ବିଡିଓ ଅଜିତ ନାରାୟଣ ଗିରି ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ସେହିପରି କଂଗ୍ରେସ ନେତା ଅଜୟ ସାମଲ ବନ୍ୟାଞ୍ଚଳ ବୁଲି ଦେଖି ପ୍ରଶାସନ ଯୁଦ୍ଧକାଳୀ ଭିତ୍ତିରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି ।
