ଜଗତସିଂହପୁର : ଶେଷ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ଜଗତସିଂହପୁର ଜିଲାର ବିଭିନ୍ନ ବିଧାନସଭା ଓ ଜଗତସିଂହପୁର ଲୋକସଭା ଆସନରୁ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜଗତସିଂହପୁର ଲୋକସଭା କ୍ଷେତ୍ରର ୧୬ ଜଗତସିଂହପୁର ଲୋକସଭା (ସଂ) ଆସନ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଧିକାରୀ ଅନୁପମ ସାହାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।କଂଗ୍ରେସ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ସ୍ଥାନୀୟ ଟାଉନ ହଲ ନିକଟରୁ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଆରପଟେ ୧୦୪ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ନିକଟରେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଅମରେନ୍ଦ୍ର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅମରେନ୍ଦ୍ର ସ୍ଥାନୀୟ ସଁପୁର ଛକ ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।ସେହିପରି ୧୦୧ ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବହୁଜନ ସମାଜ ପାର୍ଟି ର ପ୍ରାର୍ଥୀ ସୁଜାତା ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ତଥା ରିଟର୍ଣ୍ଣିଂ ଅଧିକାରୀ ଲଲିତ ମୋହନ ବେହେରାଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।ସେହିପରି ୧୦୩ ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଶେଷଦେବ ନନ୍ଦ, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ତଥା ରିଟର୍ଣ୍ଣିଂ ଅଧିକାରୀ ସମ୍ବିତ୍ ରାଉତଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।୧୦୨ ତିର୍ତ୍ତୋଲ ବିଧାନସଭା(ସଂ) ନିର୍ବାଚନମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ଅଭିପସା ପଟ୍ଟନାୟକଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଆଜି ସକାଳୁ ହିମାଂଶୁ ମଲ୍ଲିକ ମା ଶାରଳାଙ୍କ ଦର୍ଶନ କରିବା ପରେ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ଜୟପୁର ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।
