ଜଗତସିଂହପୁର : ଇଶ୍ୱରଙ୍କ ଏହି ମହାନ୍ ସୃଷ୍ଟିରେ ଆମେ ବି ସମର୍ଥ। ଏହାର ସ୍ପଷ୍ଟ ପ୍ରମାଣ ଓ ଜ୍ୱଳନ୍ତ ଉଦାହରଣ ସ୍ରୁଷ୍ଟି କରିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋସଲ ଗାଁର ଗଗନ ବିହାରୀ ଦାସ ଓରଫ ଚିନ୍ମୟୀ ଦାସ। ୧୯୮୫ ମସିହାରେ ପିତା ଧୁଳମଣି ଦାସ ଓ ମାତା ରେଣୁବାଳା ଦାସଙ୍କ କୋଳ ମଣ୍ଡନ କରି ଜନ୍ମ ଗ୍ରହଣ କରନ୍ତି।
ଜନ୍ମ ଗ୍ରହଣ କରି ଆସ୍ତେ ଆସ୍ତେ ବଡ଼ ହେବାରୁ ତାଙ୍କ ପାଖରେ କିନ୍ନର ଲକ୍ଷଣ ଦେଖି ତାଙ୍କୁ ସମାଜରେ ସାଙ୍ଗ ସାଥି ଗହଣରେ ସମସ୍ତେ ଅଲଗା ଦୃଷ୍ଟିରେ ଦେଖିଲେ। କଷ୍ଟେ ମଷ୍ଟେ ସେଦିନର ଗଗନ ବିହାରୀ ଆଜିର ଚିନ୍ମୟୀ ୧୫ ବର୍ଷ ନିଜ ଗାଁରେ ନିଜର ସମୟ ଅତିବାହିତ କରି ଗାଁ ଛାଡି ଚାଲିଯାଇଛି ବାହାରକୁ ଯେଉଁଠି ତାଙ୍କୁ କିଏ ଚିହ୍ନେ ନାହିଁ ନା ସିଏ କାହାକୁ ଚିହ୍ନନ୍ତି ନାହିଁ। ଆରମ୍ଭ ହୁଏ ଏକ ନୂଆ ଜୀବନ ସମାଜରେ ବହୁ ଘାତ ପ୍ରତିଘାତକୁ ସାମନା କରି ପୋସଲ ଗାଁର ଗଗନ ବିହାରୀ ପାଲଟି ଯାଆନ୍ତି ଚିନ୍ମୟୀ ଦାସ।
ସମାଜର ମୁଖ୍ୟ ସ୍ରୋତକୁ ଆସି ଦେଶ, ରାଜ୍ଯ, ଜିଲ୍ଲା ଓ ସାମାଜ ପାଇଁ ମହତ କାମ କରିବାର ଲକ୍ଷ୍ୟ ରଖି ସ୍ୱପ୍ନ ଦେଖି ସ୍ଵପ୍ନକୁ ସାକାର କରିବା ପାଇଁ ବିନା ଦ୍ୱିଧାରେ ସମାଜ ସେବାରେ କାମ କରିଚାଲିଛନ୍ତି କିନ୍ନର ଚିନ୍ମୟୀ। ସମସ୍ତଙ୍କର ସାହାଯ୍ଯ ସହଯୋଗ ସମର୍ଥନ ଓ ଭାଗବାନଙ୍କର ଆଶିର୍ବାଦକୁ ପାଥେୟ କରି ଆଜି ପର୍ଯ୍ୟନ୍ତ ସାମାଜ ସେବାକୁ ନିଜର ବ୍ରତ ବୋଲି ଭାବି ନେଇଥିବା ଚିନ୍ମୟୀ ସାରା ଓଡିଶାରେ ପରିଚିତ।
କିନ୍ତୁ ଚିନ୍ମୟୀଙ୍କର ପରିବାର ବିଷୟରେ ମନେ ଥିଲେବି ସେ କେବେ ପରିବାର ପାଖକୁ ଫେରି ନଥିଲେ ସେ ଭାବି ନେଇଥିଲେକି ମୋ ପାଇଁ ସାରା ରାଜ୍ଯ ସାରା ଦେଶର ଲୋକ ମାନେ ମୋର ପରିବାର।କିନ୍ତୁ ଭାଗ୍ୟର ବିଡମ୍ବନା ଏହି ଲକ ଡାଉନ ସମୟରେ ଦୁରଦର୍ଶନର ଏକ ଚ୍ୟାନେଲରେ ଚିନ୍ମୟୀଙ୍କର ଏକ ସାକ୍ଷାତକାର ତାଙ୍କ ପରିବାର ଲୋକ ଦେଖି ତାଙ୍କ ପାଖରେ ଯାଇ ପହଞ୍ଚି ଥିଲେ ଏବଂ ନିଜ ଘରକୁ ଥରେ ଯାଇ ନିଜ ବାପା ମାଙ୍କୁ ଦେଖି ଆସିବା ପାଇଁ କହିଥିଲେ। ତାଙ୍କର କଥାରେ ରାଜି ହୋଇ ଦିର୍ଘ ୨୦ ବର୍ଷ ପରେ ପରିବାର ବନ୍ଧୁ ବାନ୍ଧବ ଆତ୍ମୀୟସ୍ବଜନଙ୍କୁ ଭେଟିବା ପାଇଁ ନିଜ ଜନ୍ମ ମାଟିକୁ ଶୁକ୍ରବାର ଦିନ ଫେରିଥିଲେ ଚିନ୍ମୟୀ। ଚିନ୍ମୟୀଙ୍କୁ ଦେଖିବା ପାଇଁ ପୋସଲ ଗାଁର ସମସ୍ତ ଗ୍ରାମବାସୀ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ବସିରହିଥିଲେ।
