ପୁରୀ,୨୧ା୫ : ମେ’ ୨୫ ସୁଦ୍ଧା ବିଭିନ୍ନ ସେବାୟତ ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବେ ସେବାୟତଙ୍କ ତାଲିକା । କରୋନା ସଂକ୍ରମଣ ଦୃଷ୍ଟିରୁ ସର୍ବନିମ୍ନ ସଂଖ୍ୟକ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ମନ୍ଦିର ବାହାରେ କୌଣସି ଧାର୍ମିକ ନୀତିକାନ୍ତି ସମ୍ପାଦନ ଓ ଜନସମାଗମ ଉପରେ କଟକଣାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ । ଆଗାମୀ ସ୍ନାନଯାତ୍ରା ସମ୍ପର୍କରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସ୍ନାନ ପୂର୍ଣ୍ଣମୀ ପାଳନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ପୂଜାପଣ୍ଡା, ପୁଷ୍ପାଳକ, ପ୍ରତିହାରୀ, ଗରାବଡୁ, ମହାଜନ, ସୁଆରବଡୁ, ପତ୍ରିବଡୁ, ମେକାପ ଓ ସୁଆର ନିଯୋଗର ପ୍ରଭୁତି ୧୦ଟି ନିଯୋଗ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟପ୍ରଶାସକ କ୍ରିଷନ କୁମାର କହିଥିଲେ ଯେ ଯେତେ କମ୍ ସଂଖ୍ୟକ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତି ସମ୍ପାଦନ ହୋଇପାରିବ ସେ ସମ୍ପର୍କରେ ବେଅଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ ସେବାୟତମାନଙ୍କର ତାଲିକା ପ୍ରସ୍ତୁତ କରାଯିବ । ତାଲିକା ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପୃକ୍ତ ସେବକମାନେ ମନ୍ଦିରକୁ ଯାଇ ନୀତି ସମ୍ପାଦନ କରିବେ । ଇତି ମଧ୍ୟରେ ଶୀତଳଷଷ୍ଠୀ ଓ ଚମ୍ପକ ଦ୍ୱାଦଶୀ ଭଳି ଛୋଟ ଛୋଟ ପର୍ବପର୍ବାଣୀ ରହିଛି ।
ତାହା କିପରି ପାଳନ କରାଯିବ ସେ ବିଷୟରେ ଆଲୋଚନା କ୍ରମେ ନିଷ୍ପତ୍ତି ନିଆଯିବ । ମନ୍ଦିର ବାହାରେ ନୀତି ସମ୍ପାଦନ ଓ ଜନସମାଗମ ଉପରେ କଟକଣା ଥିବାରୁ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ପରିଚାଳନା କମିଟି ମାଧ୍ୟମରେ ଧାର୍ମିକ ଗୁରୁମାନଙ୍କର ମତାମତ ଲୋଡାଯିବ । ମେ ୩୧ରେ ଲକଡାଉନର ଅବଧି ଶେଷ ହେଉଛି । ଏହା ପରେ ଆସିବାକୁ ଥିବା ନିଦେ୍ର୍ଦଶାବଳୀ ସମ୍ପର୍କରେ ଆମେ ଜାଣିନାହୁଁ । ତେଣୁ ସ୍ନାନ ପୂର୍ଣ୍ଣିମା ଦିନ ମନ୍ଦିର ବାହାରେ କ’ଣ କରାଯାଇପାରିବ ସେ ବିଷୟରେ ଏବେ ଠାରୁ କହି ହେବ ନାହିଁ । ଯଥା ସମୟରେ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ମୁଖ୍ୟପ୍ରଶାସକ ଗଣମାଧ୍ୟମକୁ କହିଥିଲେ ଯେ ସଂପ୍ରତି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଯଥା ସମୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ପୂର୍ବରୁ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିବା ବେଳେ ଆଜି ୧୦ଟି ନିଯୋଗ ସହ ଆଲୋଚନା କରାଯାଇଛି । ଏହା ପରେ ଛତିଶା ନିଯୋଗର ବୈଠକ କରାଯିବ ।
କରୋନାରୁ ରକ୍ଷା ପାଇଁ ସେବାୟତମାନେ କି ପଦକ୍ଷେପ ନେବେ ସେ ବିଷୟରେ ସେହି ବୈଠକରେ ଆଲୋଚନା ହେବ । ମୁଖ୍ୟପ୍ରଶାସକ କହିଥିଲେ ଯେ ସେବାୟତମାନଙ୍କର କଲ୍ୟାଣ ପ୍ରସଙ୍ଗ ବୈଠକରେ ଉତ୍ଥାପିତ ହୋଇଥିଲା । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲାପାଳ ଏ ସଂକ୍ରାନ୍ତରେ ଏକ ବୈଠକ ଉକାଇବେ । ଯେଉଁମାନେ ମନ୍ଦିର ଉପରେ ଅଧିକ ନିର୍ଭରଶୀଳ ସେମାନଙ୍କୁ କି ପ୍ରକାର ଆର୍ଥିକ ସାହାଯ୍ୟ ଦିଆଯାଇପାରିବ ସେ ବିଷୟରେ ନିଷ୍ପତ୍ତି ନିଆଯାଇ ତାହା କାର୍ଯ୍ୟକାରୀ କରାଯିବ । ବୈଠକପରେ ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ ଯେ ଭାରତ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କଟକଣାା ଭିତରେ ରହି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣମୀ ନୀତି କିପରି ସମ୍ପନ୍ନ ହେବ ସେ ବିଷୟରେ ଆଲୋଚନା କରାଯିବା ସହିତ ସେବାୟତମାନଙ୍କ ମତାମତ ଗ୍ରହଣ କରାଯାଇଛି । ଆସନ୍ତା ୨୩ତରେ ଦଇତାପତି ନିଯୋଗ ଭଳି ଗରାବଡୁ ନିଯୋଗ ସହ କରୋନା ସଚେତନତା ବୈଠକ ଅନୁଷ୍ଠିତ ହେବ ।
ସେବାୟତମାନେ କୋରାଣ୍ଟାଇନରେ ଯିବେ କି ହୋମ ଆଇସୋଲେସନରେ ରହିବେ ସେ ବିଷୟରେ ଯଥା ସମୟରେ ନିଷ୍ପତ୍ତି ନିଆଯିବ । କୋଭିଡ ନିୟମାବଳୀ ଭିତ୍ତିରେ ସଂପ୍ରତି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ସ୍ନାନ ପୂର୍ଣ୍ଣମୀରେ ମଧ୍ୟ ସାମାଜିକ ଦୂରତା ରକ୍ଷା ପୂର୍ବକ ନୀତି ସମ୍ପାଦନ ହେବ ବୋଲି ସେ ବିଶ୍ୱାସ କରନ୍ତି । ବର୍ତ୍ତମାନ ଯେଉଁ କଟକଣା ରହିଛି ତାହା ଆମେ ଅନୁସରଣ କରିବୁ । ନୀତି ହିସାବରେ ସ୍ନାନ ପୂର୍ଣ୍ଣମୀ ପାଳିତ ହେବ । ଏବେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । ଜୁନ୍ ୫ରେ କି କଟକଣା ରହିବ ତାହା ଜଣାପଡିବା ପରେ ତଦନୁଯାୟୀ ନିଷ୍ପତ୍ତି ନିଆଯିବ । ସ୍ନାନଯାତ୍ରାର ସିଧା ପ୍ରସାରଣ ସମ୍ପର୍କରେ ପ୍ରଶ୍ନ ହେବାରୁ ୫ତାରିଖରେ ଯେଉଁ ନିୟମ ଥିବ ସେଥିପ୍ରତି ଦୃଷ୍ଟି ରଖି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।