ଦଇତାପତି ନିଯୋଗର କର୍ମକର୍ତ୍ତା, ସଦସ୍ୟ ଓ ଚାରିବାଡ଼ର ବାଡଗ୍ରାହୀଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା : ସରକାରୀ କଟକଣା ଆଧାରରେ ହେବ ସ୍ନାନଯାତ୍ରା
ପୁରୀ :ସରକାରୀ କଟକଣା ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବାକୁ ପଡିବ । ସେଥିପାଇଁ ଦଇତାପତିମାନେ ପ୍ରସ୍ତୁତ ଥିବା ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାର କହିଛନ୍ତି । ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଆଗାମୀ ରଥଯାତ୍ରା ସମ୍ପର୍କରେ ଦଇତାପତି ନିଯୋଗର କର୍ମକର୍ତ୍ତା, ସଦସ୍ୟ ଓ ଚାରିବାଡ଼ର ବାଡଗ୍ରାହୀଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଥିଲେ ।
କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଥିବା ଗାଇଡ୍ ଲାଇନ ସମ୍ପର୍କରେ ବୈଠକରେ ଅବଗତ କରାଯାଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ ଯେ କରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ରଥଯାତ୍ରା ସହିତ ସଂଶ୍ଲିଷ୍ଟ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ । କରୋନା ଭୂତାଣୁ ସଂକ୍ରମଣ ରୋକିବା ସମ୍ପର୍କିତ ଗାଇଡ୍ଲାଇନ ବିଷୟରେ ଦଇତାପତିମାନଙ୍କୁ ଅବଗତ କରାଯାଇଛି ।
୮୦ଟି ଦଇତାପତି ପରିବାର ରହିଛନ୍ତି ।ଖୁବ୍ଶୀଘ୍ର ସେମାନେ ନିଯୋଗର ଏକ ବୈଠକ ଡକାଇବେ । ସେହି ବୈଠକରେ ଡାକ୍ତର ଓ ବିଶେଷଜ୍ଞମାନେ ସେମାନଙ୍କୁ କରୋନା ସଂକ୍ରମଣକୁ କିପରି ପ୍ରତିହତ କରାଯାଇପାରିବ ସେ ବିଷୟରେ ଅବଗତ କରାଇବେ । ପରିଚାଳନା କମିଟି ବୈଠକ ପୂର୍ବରୁ ସେ ବିଷୟରେ ପୂନର୍ବାର ନିଯୋଗ ସହିତ ଆଲୋଚନା କରାଯିବ ।ସେବାୟତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସମ୍ପର୍କରେ ପ୍ରଶ୍ନ ହେବାରୁ ମୁଖ୍ୟ ପ୍ରଶାସକ କହିଥିଲେ ଯେ ଡ଼ାକ୍ତରମାନଙ୍କ ପରାମର୍ଶ ଓ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏ ବିଷୟରେ ଯାହା କିଛି ସ୍ଥିର କରାଯିବ । ସରକାରୀ ନିଦେ୍ର୍ଦଶାବଳୀ ଓ କେନ୍ଦ୍ର ସରକାରଙ୍କ ଲକଡାଉନ ନିୟମକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ରଥଯାତ୍ରା ହେବ କି ନାହିଁ ବୋଲି ପ୍ରଶ୍ନ ହେବାରୁ କ୍ରିଷନ କୁମାର କହିଥିଲେ ଯେ ଏପର୍ଯ୍ୟନ୍ତ ସେ ସମୟ ଆସିନାହିଁ ।
ରଥ ନିର୍ମାଣ କାର୍ଯ୍ୟ ଏବେ ଚାଲିଛି । ଯଥା ସମୟରେ ସେ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ । ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ତିଆରି କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ରଥ ନିର୍ମାଣରେ ନିଯୋଜିତ ସେବାୟତମାନେ ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ପରିବାରକୁ ଛାଡି ଭକ୍ତ ନିବାସରେ ରହୁଥିବାରୁ ସେମାନଙ୍କୁ ମୁଖ୍ୟ ପ୍ରଶାସକ ଧନ୍ୟବାଦ ଜଣାଇଥିଲେ । ଆଲୋଚନା ସମୟରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଓ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ ଉପସ୍ଥିତଥିଲେ ।