Odisha news

ହେଲାନି ରଥ ନିର୍ମାଣ,ରଥଖଳାରୁ ଫେରିଲେ ମହାରଣା

0

ପୁରୀ :ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ସେବାୟତମାନେ ସଜବାଜ ହୋଇଯାଇଥିଲେ । ସକାଳୁ ସେମାନଙ୍କୁ ପହଞ୍ଚିବାକୁ ଖବର ମଧ୍ୟ ଦିଆଯାଇଥିଲା । ବିଶ୍ୱକର୍ମା ଓ ରଥ ଭୋଇମାନେ ରଥ ଖଳାରେ ପହଞ୍ଚିଯାଇଥିଲେ । ଦିନସାରା ସେମାନେ ରଥଖଳାରେ ଅପେକ୍ଷା କରିଥିଲେ ମଧ୍ୟ ସରକାରଙ୍କ ଅନୁମତି ନଆସିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା ।

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ପୁରୀ ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ ହୋଇଥିବା ଦୃଷ୍ଟିରୁ ରଥ ନିର୍ମାଣ ପାଇଁ କୌଣସି ସମସ୍ୟା ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇବା ସହିତ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ସରକାରଙ୍କ ଅନୁମତି ଲୋଡାଯାଇଥିଲା । ପରିଚାଳନା କମିଟିର ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କୁ ସୁପାରିଶ କରାଯାଇଥିଲା । ରଥ ନିର୍ମାଣ କøଣସି ଧାର୍ମିର୍କ କାର୍ଯ୍ୟ ହୋଇ ନଥିବାରୁ ରଥ ନିର୍ମାଣରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଗଜପତି ମହାରାଜ ଦିବ୍ୟ ସିଂହଦେବ ଗଣମାଧ୍ୟମକୁ କହିଥିଲେ ।

ଫଳରେ ରଥନିର୍ମାଣ ଆରମ୍ଭ ହେବ ବୋଲି ସମସ୍ତଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି ହୋଇଥିଲା । ମଙ୍ଗଳବାର ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସମସ୍ତେ ଆଶା କରୁଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଖଳାକୁ ସଂପ୍ରତି ସଂପ୍ରସାରିତ କରାଯିବା ସହ ନିର୍ମାଣକାର୍ଯ୍ୟ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ସରକାରଙ୍କ ଅନୁମତି ମିଳିନଥିବାରୁ ରଥ ନିର୍ମାଣ ନେଇ ଭକ୍ତ ଓ ସେବାୟତମାନେ ଆଶା ଓ ଆଶଙ୍କାରେ ରହିଛନ୍ତି ।

Leave A Reply