Odisha news

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି ଅନୁଷ୍ଠିତ

0
ପୁରୀ: ଅନବସରର ଦଶମୀ ତିଥୀରେ ଶ୍ରୀଜୀଉ ମାନଙ୍କର ଆଜି ଚକାବିଜେ ନୀତି ଅନୁଷ୍ଠିତ ହୋଇ ଯାଇଛି।  ସ୍ନାନ ପୂର୍ଣ୍ଣିମା ଠାରୁ ଜ୍ୱରରେ ଆକ୍ରାନ୍ତ ହୋଇ ଥିବା ବିଗ୍ରହମାନେ ପୀଡାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିଛନ୍ତି  । ସେପଟେ ଶ୍ରୀବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ପାରମ୍ପରିକ ଶୈଳୀରେ ଜ୍ୱରରୁ ସମ୍ପୂର୍ଣ ଉପଶମ ପାଇଁ ପ୍ରସ୍ତୁତ କରାଯାଇଛି ଦଶମୂଳରିଷ୍ଟ ଔଷଧ | ତେବେ ଆସନ୍ତାକାଲି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହେବେ |
ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ହେତୁ ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ଚାଲିଛି  ଅନବସର ସ୍ୱତନ୍ତ୍ର ଗୁପ୍ତ ନୀତି | ଦଶମୀ ତିଥିରେ ଶ୍ରୀଜୀଉ ମାନଙ୍କ ଚକା ବିଜେ ନୀତି କରାଯାଇଥିବା ବେଳେ ଅଣସର ଘରେ ଚକଟା ଓ ପଣା ଭୋଗ  କରାଯାଇଛି | ପଞ୍ଚମୀରେ ଫୁଲୁରୀ ଲାଗି ଓ ପରେ ଓଷୁଅ ଲାଗି କରାଯାଇଥିବା ବେଳେ ଜ୍ୱର ଜନିତ ପୀଡାରୁ ଶ୍ରୀଜୀଉ ସାମାନ୍ୟ ଉପସମ ପାଇଥିବା ବେଳେ ଆଜି ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଦଇତାପତି ସେବାୟତ ମାନେ କରାଇଛନ୍ତି |
ତେବେ ଆସନ୍ତାକାଲି ମହାପ୍ରଭୁଙ୍କୁ ଦଶମୂଳା ରିଷ୍ଟ ଲାଗି କରାଯିବ | ରାଜବୈଦ୍ୟମାନେ ଶାଳପର୍ଣ୍ଣି,ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ  ସ୍ୱତନ୍ତ୍ର ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି ଏହି ଦଶମୁଳା ରିଷ୍ଠ ମୋଦକ | ମହାପ୍ରଭୁଙ୍କ ଶ୍ରୀ ବୈଦ୍ୟ ମାନେ ଏହି ଔଷଧ ପ୍ରସ୍ତୁତ କରିବା ସହ ଆଜି ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଜିମା ଦେଇଛନ୍ତି | ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧ ଶ୍ରୀଜୀଉ ମାନଙ୍କୁ ଲାଗି କରାଯିବା ପରେ ଶ୍ରୀବିଗ୍ରହ ମାନେ ଜ୍ୱରରୁ ଉପଶମ ପାଇଥାନ୍ତି ବୋଲି କାଳ କାଳ ଯୁଗ ଯୁଗରୁ ବିଶ୍ୱାସ ରହିଛି | ମହାପ୍ରଭୁଙ୍କ ଏହି ଅନନ୍ୟ ଔଷଧ ପ୍ରସ୍ତୁତ କରି ଶ୍ରୀବୈଦ୍ୟ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି | ଆସନ୍ତାକାଲି ଏକାଦଶୀ ତିଥିରେ ମଧ୍ୟ ଶ୍ରୀଜୀଉଙ୍କ ଖଳି ଲାଗି ନୀତି ଅନୁଷ୍ଠିତ ହେବ |
Leave A Reply

Your email address will not be published.