ପୁରୀ : ଅଣସର ଘରେ ଗୁପ୍ତ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ଗୁରୁବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର ଅଣସର ଶେଷ କରି ଶୁକ୍ରବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ନବଯୌବନ ବେଶ ଅନୁଷ୍ଠିତ ହେବ। ଏଣୁ ଚଳିତବର୍ଷ ବି ସଅଳ ନୀତିକାନ୍ତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।
ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟାରେ ଚକା ବିଜେ କରିଥିବା ଶ୍ରୀଜିଉଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ। ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୮ଟାରେ ଶ୍ରୀମନ୍ଦିରରୁ ଅଣସର ତାଟି ଫିଟିବ। ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ କୋଭିଡ୍ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି। ଏହା ପରେପରେ ପଟିଦିଅଁଙ୍କ ବଦଳରେ ଶ୍ରୀଜିଉଙ୍କଠାରେ ପରବର୍ତ୍ତୀ ଦୈନନ୍ଦିନ ନୀତିକାନ୍ତି ଚାଲିବ।
ସୂଚନାଯୋଗ୍ୟ, ଶ୍ରୀଜିଉଙ୍କୁ ୪ଟି ସ୍ଥାନରେ ମହାପ୍ରସାଦ ଲାଗି ହୋଇଥାଏ। ରତ୍ନବେଦି, ଅଣସର ପିଣ୍ଡି, ସ୍ନାନବେଦି ଓ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହୋଇଥାଏ। ଶୁକ୍ରବାର ଅଣସର ପିଣ୍ଡିରେ ଥିବା ଅବସ୍ଥାରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହେବ ବୋଲି ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି।
Comments are closed.