Odisha news

ଜଗା ଦର୍ଶନ ପାଇଁ କଟକଣା କୋହଳ ହେଉ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଦୀର୍ଘ ୯ମାସ ପରେ ଶ୍ରଦ୍ଧାଳୁମାନେ ବଡ ଠାକୁରଙ୍କୁ ଦେଖିବାର ସୁଯୋଗ ପାଇଲେ । ମନରେଥିଲା ଅନେକ ଦିନର ଉକôଣ୍ଠା ଓ ଭାବପ୍ରବଣତା । ଜଗାକାଳିଆଙ୍କୁ ରତ୍ନ ସିଂହାସନରେ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଭିଡ । ହଜାର ହଜାର ସଂଖ୍ୟାରେ ଭକ୍ତ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ରକୁ । କିନ୍ତୁ ସେମାନଙ୍କ ଆଶା ଆଶାରେ ରହିଗଲା । କିଏ ଟ୍ରେନ୍ ତ କିଏ ବସ୍ ରେ ଆସୁଛନ୍ତି ଦର୍ଶନ ଆଶାରେ । ଆଉ କିଏ କାର୍ ଭଡାକରି ଆସୁଛନ୍ତି ।

ସାଥିରେ ଅଛନ୍ତି ପରିବାର ସଦସ୍ୟ, ପୁଅଝିଅ । ଏକ କିଲୋମିଟର ବିଶିଷ୍ଟ ବ୍ୟାରିକେଡରେ ଚାଲିଚାଲି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଲା ବେଳକୁ ଭକ୍ତମାନଙ୍କ ଆଶା ନିରାଶାରେ ପରିଣତ ହେଉଛି । କୋଭିଡ ନେଗେଟିଭ୍ ପ୍ରମାଣପତ୍ର ଦେଖାଇ ନପାରି ବଡ ଦେଉଳକୁ ଯାଇପାରୁନାହାଁନ୍ତି । ଫଳରେ ଜଗାଦର୍ଶନ କରିବାର ଆଗ୍ରହରେ ଏହା ଶକ୍ତ ଧକ୍କା ପହଞ୍ଚାଉଛି । ଯାହା ଫଳରେ ପୁରୀକୁ ଭକ୍ତ ଆଗମନ କମୁଛି, କଟକଣା କୋହଳ ପାଇଁ ଦାବି ହେଉଛି । ସୂଚନାଯୋଗ୍ୟ ଯେ, ଗତ ତିନି ଦିନରେ ପୁରୀକୁ ୬୦ ହଜାର ଭକ୍ତ ଆସିଛନ୍ତି କିନ୍ତୁ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ମାତ୍ର ୯ହଜାର । ଏହା ମଧ୍ୟରେ ଅଛନ୍ତି ଜାଲ୍ ପ୍ରମାଣପତ୍ର ଦେଇଥିବା ଭକ୍ତ । କିନ୍ତୁ ପ୍ରଶାସନ ଚେତୁନାହିଁ । ଫଳରେ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ମନରେ ସୃଷ୍ଟି ହେଉଛି କ୍ଷୋଭ ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ତିନି ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ । ହରିବୋଲ, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର । ସକାଳ ୭ଟାରୁ ରାତ୍ର ପହଡ ଯାଏ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ । ତେବେ ପ୍ରଥମ ଦିନରେ ମାତ୍ର ୪ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।

ଏପରିକି ଓଡିଶାର ମହାମହିଁମ ରାଜ୍ୟପାଳ ଗଣେଶୀଲାଲ ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ର ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେହିପରି ରବିବାର ଠାରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭୁବନେଶ୍ୱର ସହରବାସୀଙ୍କ ଦର୍ଶନ ବ୍ୟବସ୍ଥା ହୋଇଛି । ଜଗତସିଂହପୁରରେ ମା’ସାରଳା ଓ ଗୋରେଖନାଥ, ସମ୍ବଲପୁରରେ ମା’ସମଲେଶ୍ୱରୀ, ଗଞ୍ଜାମରେ ମା’ ତାରାତାରେଣୀ ମନ୍ଦିର ମଧ୍ୟ ଖୋଲିଛି । କିଛିଦିନ ପରେ ପରିସ୍ଥିତ ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଛି । ପେବୃଆରୀ ମାସରୁ ଶ୍ରୀମନ୍ଦିର ଦର୍ଶନ ସ୍ୱାଭାବିକ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସେହିପରି ରବିବାର ଠାରୁ ଧାର୍ମିକ ଅନୁଷ୍ଠାନଗୁଡିକ ଖୋଲାଯାଇଥିବାରୁ ଭକ୍ତମାନେ ବେଶ ଖୁସିଥିବା ଜଣା ଯାଇଛି ।

କରୋନା କରୁଛି କଲବଲ । ଅସ୍ତବ୍ୟସ୍ତ ହେଉଛି ଜୀବନ । ଜୀବନ ପାଇଁ ଚାଲିଛି ବିଶ୍ୱବ୍ୟାପି ସଂଘର୍ଷ । ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଅନୁରୂପ ଅବସ୍ଥା । ଖାଲି ସେତିକି ନୁହେଁ, କରୋନାର ପ୍ରଭାବ ଯୋଗୁଁ ପର୍ବପର୍ବାଣିର ଚମକ ହଜିଯାଉଛି ଓ ପରମ୍ପରା ବଦଳିଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଗଣେଶ ପୂଜାରୁ ଓଡିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳୀ ଯାଏ ଲମ୍ବିଥାଏ । ଏ ବର୍ଷ କିନ୍ତୁ ଗଣେଶ ପୂଜାରେ କେଉଁଠି ଆନନ୍ଦ-ଉଲ୍ଲାସ ନଥିଲା ।

ଚାରିଆଡେ ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ଏକ ଅଜଣା ଆତଙ୍କ ।ଜୀବନ ପାଖରେ ଏସବୁ ବଳି ପଡିଛି । ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଥିଲେ ରୋକ୍ । ଯାହାଫଳରେ ପର୍ବପର୍ବାଣି ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡୁଥିଲା । ଆମ ଦେଶରେ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ,କୋଲକତା, ଗୁକୁରାଟ, ଛତିଶଗଡ ଓ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଗଣେଶ ପୂଜା ମଧ୍ୟ ଆଡମ୍ବର ସହକାରେ ପାଳନ କରାଯାଏ ।

ସେହିପରି ଆମରାଜ୍ୟରେ ଭୁବନେଶ୍ୱର, ପୁରୀ,କଟକ, ଖୋର୍ଦ୍ଧା, ବ୍ରହ୍ମପୁର, ରାଉଲକେଲା, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ତଥା ଅନ୍ୟ ଜିଲ୍ଲାମାନଙ୍କରେ ଗଣେଶ ପୂଜା ଜାକ ଜମକରେ ପାଳିତ ହୋଇଥାଏ । କରାନା କଟକଣା ଯୋଗୁଁ ଏବର୍ଷ ସର୍ବସାଧାରଣରେ କୈାଣସି ଅନୁଷ୍ଠାନ ପୂଜା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବର୍ଷ ଗଣେଶ ପୂଜା କେବଳ ବିଧିବିଧାନରେ ସୀମିତ ରହଲା । ତେଣୁ ଗଣେଶ ପୂଜାକୁ ଆଉ ପୂର୍ବ ଭଳି ଏବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହୋଇ ପାରିଲାନାହିଁ । ସେହିପରି ଗତ ସେପ୍ଟେମ୍ବର ପାଞ୍ଚ ତାରିଖରେ ଗୁରୁଦିବସ ମଧ୍ୟ କରୋନା କଟକଣାରୁ ବାଦ୍ ପଡିଲାନି ।

ବିଗତ ଦିନରେ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା ।ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ସେହିପରି ସାର୍ବଜନୀନ ଦୁର୍ଗା ପୂଜାକୁ ଚଳିତ ବର୍ଷ କରୋନା ମହାମାରୀ ମଧ୍ୟ ଓଲଟପାଲଟ କରିଦେଲା ।

ଇତିମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି । ମା’ ଚୁପ୍ଚାପ୍ ଆସିଲେ ଓ ଗଲେ । ବିଭିନ୍ନ ପୀଠ ଓ ମଣ୍ଡପରେ ମା’ଙ୍କ ପୂଜା ବିଧିରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା । ତୋରଣ କି ଆଲୋକ ସଜ୍ଜା ନଥିଲା । କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଇଥିଲା ତାହା ପୁଣି କରୋନା କଟକଣା ଭିତରେ । ପାଞ୍ଚଜଣରୁ ଅଧିକ କର୍ମ କର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରିକରାଯାଇଥିଲା । ପ୍ରତି ବର୍ଷ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱର ସହରରେ ଏଥର ଦଶହରାରେ ଥିଲା ଅସମ୍ଭବ ନିରବତା । ରାସ୍ତା ଘାଟ ଜନଶୂନ୍ୟ, ପୁଜାମଣ୍ଡପ ଖାଁ ଖାଁ ଲାଗୁଥିଲା । ବାଜା କି ମାଇକି ବାଜୁନଥିଲା ବା ଉଜ୍ଜଳ ଆଲୋକ ମାଳାରେ ତୋରଣ ଝଲସୁନଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ କୁମାର ପୂର୍ଣ୍ଣିମା ୩୧ ଅକ୍ଟୋବର , ଦୀପାବଳୀ ୧୪ ନଭେମ୍ବର ଉସôବ ମହାମାରୀ ଜନିତ ଦୃଢକଟକଣା ଯୋଗୁଁ ପୂର୍ବ ବର୍ଷ ମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ହୋଇପାରିଲା ନାହିଁ । ଦୀପାବଳି ପାଇଁ ବାଣ ବିକ୍ରି ଓ ବାଣ ଫୁଟା ଉପରେ କଟକଣା ରହିଥିଲା ।ତେଣୁ ଦୀପାବଳିରେ ଏଥର ବାଣ ଫୁଟାର ଢୋ ଢା ଶବ୍ଦ ଶୁଣିବାକୁ ମିଳିନଥିଲା । ଚଳିତ ବର୍ଷ କଟକରେ ହୋଇ ପାରିଲାନି ପ୍ରସିଦ୍ଧ ବାଲିଯାତ୍ରା । କେବଳ ସେତିକି ନୁହେଁ , କରୋନା ମାଡରେ ଆଗାମୀ ବଡଦିନ ଓ ନୂଆବର୍ଷ ପାଳନ ମଧ୍ୟ ଫିକା ପଡିଲା । ମୋଟା ମୋଟି ଭାବେ ଏଥର ଶାରଦୀୟ ପର୍ବପର୍ବାଣି ଓ ବିଭିନ୍ନ ଉସôବ କରୋନା ଯୋଗୁଁ ଫିକା ପଡିଛି । କରୋନା ବଦଳାଇ ଦେଇଛି ଆମ ସଂସ୍କୃତି ଓ ପରମ୍ପରା ।

ଜଗା ଦର୍ଶନ ଆରମ୍ଭ ହୋଇଯାଇଛି । ପ୍ରଶାସନ କହୁଛି କରୋନାକୁ ବାଡ ପକାଇ ଜଗିଛି । ନେଗେଟିଭ୍ ପ୍ରମାଣପତ୍ର ନଥିଲେ ବଡଦେଉଳ ମନା । କିନ୍ତୁ ଜାଲ ପ୍ରମାଣପତ୍ର ବଳରେ ବହୁ ଭକ୍ତ ଇତି ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିଲେଣି । ଫଳରେ ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଅନେକ ସାଧାରଣ ଭକ୍ତ । ପ୍ରତିକ୍ରିୟାରେ କହୁଛନ୍ତି, ଆମେ କାହିଁକି ପୁରୀ ଯିବୁ? ଟଙ୍କା ଖର୍ଚ୍ଚକରି, କଷ୍ଟ ସହି ପୁରୀରେ ପହଞ୍ଚିଲା ପରେ ଯଦି କାଳିଆ ସାଆନ୍ତଙ୍କୁ ଦେଖିପାରୁ ନାହୁଁ ତେବେ ଯାଇ ଲାଭ କ’ଣ? ଅନ୍ୟ ପଟେ କୋଭିଡ ନେଗେଟିଭ୍ ପ୍ରମାଣପତ୍ର ଜାଲିଆତି ଉପରେ ମଙ୍ଗଳବାର ସୁଦ୍ଧା ଲଗାମ ଲାଗି ପାରିନାହିଁ । ଏଥିରୁ ଗୋଟିଏ କଥା ସତ ଯେ, ପ୍ରଚଳିତ ଦର୍ଶନ କଟକଣାର ପୁନଃବିଚାର ନହେଲେ ଭକ୍ତମାନେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ନାହିଁ ।

Nalco
Leave A Reply