ଶୁଭନାରାୟଣ ଶତପଥୀ : ଯୁଗେଯୁଗେ ଭକ୍ତ ଓ ଭଗବାନଙ୍କ ସଂପର୍କ ପୁରାଣ, ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯାହା କେବଳ ହୃଦୟସ୍ପର୍ଶୀ ନୁହେଁ ବରଂ ଭଗବତ ବିଶ୍ୱାସରେ ପ୍ରାଣକୁ ନିୟନ୍ତ୍ରଣ କରି ସାଂସାରିକ ସୁଖ ସମୃଦ୍ଧି ପ୍ରଦାନ କରିଥାଏ । ଏ ନିବିଡତା ଭାବମୟ କରେ ପରିବେଶକୁ । ଏହାକୁ କେବଳ ବିଧିନିର୍ଦ୍ଧିଷ୍ଟ ବା ସଂଯୋଗ ବୋଲି କହିଲେ ହେବନାହିଁ ବରଂ ଭଗବାନଙ୍କ ଇଛାମୃତ ବୋଲି କୁହାଯାଇପାରେ । ତାକୁ ଯିଏ ଅନୁଭବ କରିଛି ବା ପାନ କରିଛି ସେ ପ୍ରଭୁ ପ୍ରେମରେ ବାଇଆ ହୋଇଛି ବୋଲି କୁହନ୍ତି ସର୍ବସାଧାରଣ । ଏମିତି ଏକ ଘଟଣା ଗତବର୍ଷର ।
ଅନବସର ସମୟର କଥା । ପ୍ରଭୂ ଶ୍ରୀ ଅଲାରନାଥଙ୍କ ମନ୍ଦିର ପ୍ରାଙ୍ଗଣ । ସେଦିନ ଥିଲା ରବିବାର । ପ୍ରାୟ ରାତି ଆଠଟା ହେବ । ସପରିବାରେ ମୁଁ ଦର୍ଶନ କରିବାକୁ ଯାଇଥାଏ । ହଠାତ ପଛରୁ କିଏ ଡାକିଲେ । ବୁଲିପଡି ଦେଖିଲା ବେଳକୁ ଅତି ପ୍ରିୟ ପରିଚିତ ଓ ପ୍ରସିଦ୍ଧ ଶିଶୁ ବିଶେଷଜ୍ଞ ପୁରୀର ଡାକ୍ତର ହରପ୍ରସାଦ ମହାନ୍ତି ।
ସେ ମୋ ପୁଅ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱାସ୍ଥ୍ୟଗତ ସମସ୍ୟାର ଚିକିସôା କରିଛନ୍ତି । ତାଙ୍କର ଦକ୍ଷତା, ଭଦ୍ର, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଯୋଗୁଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ । ତାଙ୍କୁ ମହାପ୍ରଭୂ ଅଲାରନାଥଙ୍କ ମନ୍ଦିର ଭିତରେ ଭେଟିବାପରେ ମୋର ଆନନ୍ଦର ସୀମା ରହିଲା ନାହିଁ । ଖାଲି ସେତିକି ନୁହେଁ ମୁଁ ଯେତିକି ଖୁସିହେଲି ତାଠୁ ବେଶୀ ଆଶ୍ଚର୍ଯ୍ୟ ହେଲି ଏମିତି ଅକସ୍ମାତ ସଂଯୋଗକୁ ଦେଖି ।
ଘଟଣାଟି ଏମିତି ଥିଲା । ସେହି ରବିବାର ପୂର୍ବ ଦିନ ଅର୍ଥାତ ଶନିବାର ଦିନ ମହାପ୍ରଭୂ ଅଲାରନାଥଙ୍କ ମନ୍ଦିର ସାମ୍ନାରେ ଏକ ଶିଶୁ ଅଧିକାର ଆଇନ ଓ ଯୋଜନା ସମ୍ବନ୍ଧରେ, ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଯଥା; କୁଇଜ ପ୍ରତିଯୋଗୀତା, ର୍ୟାଲି ଅନୁଷ୍ଠିତ ହୋଇଥିଲା ଶିଶୁ, ସ୍ଥାନୀୟ ଜନସାଧାରଣ ଓ ଭକ୍ତଙ୍କ ସଚେତନତା ପାଇଁ ।
ଏହି ସଚେତନତା କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ ପରେ ଆମେ ଗଲୁ ମନ୍ଦିରର ବେଢା ଭିତରେ ଥିବା ଆନନ୍ଦ ବଜାରକୁ ପ୍ରସାଦ ସେବନ ପାଇଁ । ଠିକ୍ ଏହି ସମୟରେ ଘରୁ ଫୋନ ଆସିଲା ଯେ ପୁଅର ପୁଣି ଖୁବ ଜୋରରେ ଝାଡା ହେଉଛି । ଯଦିଓ ପୂର୍ବରୁ ସେ େଓା÷÷ଷଧ ଖାଉଥିଲା କିନ୍ତୁ ସେଥିରେ ଭଲ ହୋଇ ନଥିଲା । ସେତେବେଳକୁ ପ୍ରାୟ ଅପରାହ୍ନ ୪ଟା ହେବ । ସଙ୍ଗେସଙ୍ଗେ ମୁଁ ଡାକ୍ତର ହରପ୍ରସାଦ ମହାନ୍ତିକୁ ଫୋନ କଲି । କିନ୍ତୁ ଫୋନରେ ଯୋଗାଯୋଗ ସମ୍ଭବ ହେଲାନାହିଁ । ଏଣୁ ମୁଁ ଅନନ୍ୟୋପାୟ ବ୍ରହ୍ମଗିରିରୁ ପୁରୀ ଯିବା ପାଇଁ ବାହାରିଲି । ପ୍ରଭୁ ଅଲାରନାଥଙ୍କୁ ମୁଣ୍ଡିଆମାରି ହାତରେ ଖିରୀପ୍ରସାଦ ଧରି ପୁରୀ ଅଭିମୂଖେ ଗଲିି । କ୍ଲିନିକକୁ ଡାକ୍ତରଙ୍କର ଆସିବା ସମୟ ହୋଇନଥିବାରୁ ବ୍ୟକ୍ତିଗତ ସଂପର୍କ ଆଧାରରେ ସିଧା ତାଙ୍କ ଘରଆଡକୁ ମୁହାଁଇଲି । ମୁଁ ଡାକ୍ତରଙ୍କ ଘରପାଖେ ପହଁଚିଲାବେଳକୁ ସେ ତାଙ୍କ ସ୍କୁଟିଟିକୁ ଦାଣ୍ଡରୁ ଘର ଭିତରକୁ ନେଉଛନ୍ତି । ହଠାତ୍ ମୋତେ ଦେଖି ପ୍ରଶ୍ନ କଲେ ଶୁଭବାବୁ କଣ ହେଲା? ପୂର୍ବ ପ୍ରେସକ୍ରିପସନ ସହ ପୁଅର ସମସ୍ୟା ବିଷୟରେ ଆଲୋଚନା କଲି । ସେ ମୋତେ ପରବର୍ତି େଓଷଧ ଲେଖିଦେଲେ ।
ଫେରିଲା ବେଳକୁ ହାତରେ ଧରିଥିବା ମହାପ୍ରଭୂ ଅଲାରନାଥଙ୍କ ଖିରୀପ୍ରସାଦ ତାଙ୍କ ହାତକୁ ବଢେଇଦେଇ କହିଲି ଏହା ଏକ ସଂଯୋଗ ମାତ୍ର । ସେ ମୋ ଆଡକୁ ଆଶ୍ଚର୍ଯ୍ୟହୋଇ ଚାହିଁଲେ ଓ କହିଲେ ଆମେ ସପରିବାରେ ବର୍ତମାନ ମହାପ୍ରଭୂ ଅଲାରନାଥଙ୍କ ଦର୍ଶନ ପାଇଁ ବାହାରିଛୁ । କାର ଆସିବ ବୋଲି ମୁଁ ସ୍କଟିଟିକୁ ଘରଭିତରକୁ ନେଉଛି । ମନେମନେ ଭାବିଲି ମୁଁ ଯେଉଁ ସମୟରେ ପ୍ରସାଦ ନେଇ ଆସିଲି ଠିକ୍ ସେହି ସମୟରେ ହିଁ ସେମାନେ ବାହାରିଛନ୍ତି ଦର୍ଶନ ପାଇଁ? ସଂଯୋଗର ସଂଜ୍ଞାକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ଭାବିଲି ବୋଧହୁଏ ଡାକ୍ତରଙ୍କ ପରିବାରର ଏହା ଏକ ପୂର୍ବ ଯୋଜନା କିମ୍ବା ମହାପ୍ରଭୂ ଅଲାରନାଥଙ୍କ ଇଚ୍ଛାମୃତ । ସେଠାରୁ ଫେରି େଓଷଧ ଆଣି ଘରକୁ ଫେରିଲି । ତା ପରଦିନ ଏକାଦଶୀ ତିଥି । ବୋଉଙ୍କୁ ନେଇ ଦର୍ଶନ ପାଇଁ ମୋର ଯିବାର ଥାଏ । କିନ୍ତୁ ଡାକ୍ତରଙ୍କ େଓାଷଧ ଖାଇ ପୁଅର ଝାଡା ନିୟନ୍ତ୍ରଣ ହେବାରୁ ରବିବାର ରାତି ଆଠଟାକୁ ପୁଅ ସମେତ ଆମେ ସପରିବାରେ ବାହାରିଲୁ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ । ମନ୍ଦିର ଭିତରକୁ ପଶିବା ପୂର୍ବରୁ ବେଢାରେ ବୁଲୁଥିବା ସମୟରେ ମୋତେ ପଛପଟୁ କେହି ସମ୍ବୋଧନ କରିବାର ଅନୁଭବ କରିବାରୁ ପଛକୁ ବୁଲି ଦେଖେତ ଡା ମହାନ୍ତି । ମୁଁ ତାଙ୍କୁ ଦେଖି ଯେତିକି ଖୁସି ହେଲି ସେତିକି ଆଶ୍ଚର୍ଯ୍ୟ ହେଲି ।
ସେ କହିଲେ, ବୁଝିଲେ ଶୁଭବାବୁ ଗତକାଲି ଆପଣ ମୋତେ ଖିରୀଭୋଗ ଦେଇ ଆସିବାପରେ ଆମେ ଦର୍ଶନ ପାଇଁ ବହାରିଲୁ । କିନ୍ତୁ କାରରେ ଷ୍ଟାର୍ଟଂ ସମସ୍ୟା ଦେଖାଦେବାରୁ ଆଉ ଦର୍ଶନ ପାଇଁ ଆସିବା ସମ୍ଭବ ହେଲାନି । ଏଣୁ ଆଜି ଆସିଲୁ । ଆମେ ଉଭୟ ସବୁ ବୁଝିପାରୁଥାଉ । ସବୁ ସେଇ ଲୀଳାମୟଙ୍କ ଲୀଳା । ଗତକାଲିଠାରୁ ସମସ୍ତେ ନିଜନିଜ ସ୍ଥାନରେ ରହି କର୍ତବ୍ୟକରି ଭଗବାନଙ୍କ ଲିଳାରେ ସାମିଲ ହୋଇସାରିଥିଲେ । କେବଳ ମୁଁ କାହିଁକି ଏ ଆଧ୍ୟାତ୍ମିକତା ସେଦିନ ଡାକ୍ତର ମହାନ୍ତି ମଧ୍ୟ ଅନୁଭବ କରିପାରିଥିଲେ । ଦୁହେଁ ନିଳଚକ୍ରକୁ ଚାହିଁ ଦଣ୍ଡବତ ଜଣାଇଲୁ । ମୁଁ ପରିବାରସହ ମହାପ୍ରଭୁଙ୍କ ଦର୍ଶନ ଉଦେ୍ଦଶ୍ୟରେ ମୂଖ୍ୟ ମନ୍ଦିର ଭିତରକୁ ଗଲି । ଦର୍ଶନ ସାରି ଘରକୁ ଫେରିବା ବାଟରେ ଦେଖିଲି ଡାକ୍ତରବାବୁ ସପରିବାରେ ତାଙ୍କ ଗାଡି ପାଖକୁ ଆସୁଛନ୍ତି । ଆଉ ହାତରେ ତାଙ୍କର ଖିରୀ ପ୍ରାସାଦର ଓଳି । ବାସ୍ତବରେ ଖିରୀ ପ୍ରିୟ ଠାକୁର ସମସ୍ତ ଭକ୍ତଙ୍କୁ ତାଙ୍କ ଖିରୀର ସ୍ୱାଦରେ ଆବଦ୍ଧ କରି ରଖିଛନ୍ତି । ଏବେ ମୁଁ ସଂଯୋଗର ସଂଜ୍ଞାକୁ ଠିକ ଭାବେ ଉପଲବ୍ଧି କରିପାରୁଥିଲି ।