ହିମାଂଶୁ ଶେଖର ଆଚାର୍ଯ୍ୟ : ଶେଷରେ ଦୀର୍ଘଦିନ ପ୍ରତୀକ୍ଷାର ଅବସାନ ଘଟିଲା । ଆଉ ରହିଲାନି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର । ଗତ ମାସ ୨୩ରୁ ଖୋଲିଲା ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ । ଶ୍ରୀମନ୍ଦିର ସମେତ ୨୩ରୁ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା କୋଭିଡ୍ କଟକଣା ମଧ୍ୟରେ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧିକାର ଦିଆଗଲା । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିଭିନ୍ନ ପର୍ବପର୍ବାଣି ଉପରେ ରୋକ୍ ଲଗାଯାଇଥିଲା ଏବେ କିନ୍ତୁ କଟକଣା ମଧ୍ୟରେ ଭକ୍ତଙ୍କୁ ଦର୍ଶନ ମିଳିଲା । କୋଭିଡ କଟକଣା ଭିତରେ ସେବାୟତ ଓ ପୁରୀ ବାସୀ ଚତୁର୍ଦ୍ଧା ମୂର୍ତ୍ତିକୁ ଦେଖିବାର ସୁଯୋଗ ପାଇବେ । ନୂଆ ବର୍ଷରେ ଭିଡ ଥିବା ଅଶାଙ୍କା ଥିବାରୁ ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରହିଥିଲା । ଫେବୃୟାରୀ ମାସରୁ ଶ୍ରୀମନ୍ଦିର ଦର୍ଶନ ସ୍ୱାଭାବିକ ହୋଇପାରିବ । ବିଗତ ୬ଦିନର ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏଭଳି ଆକଳନ କରିଛନ୍ତି । ବିଶେଷ କରି ଏପରିକି ତିନି ତାରିଖରୁ ୨୨ ପାହଚ ଓ ଶ୍ରୀମନ୍ଦିର ଭିତରେ କି ଭଳି ଧାଡି ଦର୍ଶନ ସୁରୁଖୁରୁରେ ହେବ ତାହା ନେଇ ସେ ସମୀକ୍ଷା ବୈଠକରେ ସୂଚନା ଦେଇଥିଲେ । ସେହିପରି ପେବୃୟାରୀ ମାସରୁ ଶ୍ରୀମନ୍ଦିର ଦର୍ଶନ ସତର୍କତା ଅବଲମ୍ବନ କରିବା ସହ ସୈାଭାବିକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ମୁଖ୍ୟ ପ୍ରଶାସକ ।
କରୋନା କରୁଛି କଲବଲ । ଅସ୍ତବ୍ୟସ୍ତ ହେଉଛି ଜୀବନ । ଜୀବନ ପାଇଁ ଚାଲିଛି ବିଶ୍ୱବ୍ୟାପି ସଂଘର୍ଷ । ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଅନୁରୂପ ଅବସ୍ଥା । ଖାଲି ସେତିକି ନୁହେଁ, କରୋନାର ପ୍ରଭାବ ଯୋଗୁଁ ପର୍ବପର୍ବାଣିର ଚମକ ହଜିଯାଉଛି ଓ ପରମ୍ପରା ବଦଳିଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଗଣେଶ ପୂଜାରୁ ଓଡିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳୀ ଯାଏ ଲମ୍ବିଥାଏ । ଏ ବର୍ଷ କିନ୍ତୁ ଗଣେଶ ପୂଜାରେ କେଉଁଠି ଆନନ୍ଦ-ଉଲ୍ଲାସ ନଥିଲା । ଚାରିଆଡେ ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ଏକ ଅଜଣା ଆତଙ୍କ ।ଜୀବନ ପାଖରେ ଏସବୁ ବଳି ପଡିଛି । ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଥିଲେ ରୋକ୍ । ଯାହାଫଳରେ ପର୍ବପର୍ବାଣି ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡୁଥିଲା ।
ଆମ ଦେଶରେ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ,କୋଲକତା, ଗୁକୁରାଟ, ଛତିଶଗଡ ଓ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଗଣେଶ ପୂଜା ମଧ୍ୟ ଆଡମ୍ବର ସହକାରେ ପାଳନ କରାଯାଏ । ସେହିପରି ଆମରାଜ୍ୟରେ ଭୁବନେଶ୍ୱର, ପୁରୀ,କଟକ, ଖୋର୍ଦ୍ଧା, ବ୍ରହ୍ମପୁର, ରାଉଲକେଲା, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ତଥା ଅନ୍ୟ ଜିଲ୍ଲାମାନଙ୍କରେ ଗଣେଶ ପୂଜା ଜାକ ଜମକରେ ପାଳିତ ହୋଇଥାଏ । କରାନା କଟକଣା ଯୋଗୁଁ ଏବର୍ଷ ସର୍ବସାଧାରଣରେ କୈାଣସି ଅନୁଷ୍ଠାନ ପୂଜା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବର୍ଷ ଗଣେଶ ପୂଜା କେବଳ ବିଧିବିଧାନରେ ସୀମିତ ରହଲା । ତେଣୁ ଗଣେଶ ପୂଜାକୁ ଆଉ ପୂର୍ବ ଭଳି ଏବର୍ଷ ଆନନ୍ଦ ଉଲ୍ଲାସରେ ପାଳନ ହୋଇ ପାରିଲାନାହିଁ । ସେହିପରି ଗତ ସେପ୍ଟେମ୍ବର ପାଞ୍ଚ ତାରିଖରେ ଗୁରୁଦିବସ ମଧ୍ୟ କରୋନା କଟକଣାରୁ ବାଦ୍ ପଡିଲାନି ।
ବିଗତ ଦିନରେ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା ।ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ସେହିପରି ସାର୍ବଜନୀନ ଦୁର୍ଗା ପୂଜାକୁ ଚଳିତ ବର୍ଷ କରୋନା ମହାମାରୀ ମଧ୍ୟ ଓଲଟପାଲଟ କରିଦେଲା । ଇତିମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି । ମା’ ଚୁପ୍ଚାପ୍ ଆସିଲେ ଓ ଗଲେ । ବିଭିନ୍ନ ପୀଠ ଓ ମଣ୍ଡପରେ ମା’ଙ୍କ ପୂଜା ବିଧିରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା । ତୋରଣ କି ଆଲୋକ ସଜ୍ଜା ନଥିଲା । କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯାଇଥିଲା ତାହା ପୁଣି କରୋନା କଟକଣା ଭିତରେ ।
ପାଞ୍ଚଜଣରୁ ଅଧିକ କର୍ମ କର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରିକରାଯାଇଥିଲା । ପ୍ରତି ବର୍ଷ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱର ସହରରେ ଏଥର ଦଶହରାରେ ଥିଲା ଅସମ୍ଭବ ନିରବତା । ରାସ୍ତା ଘାଟ ଜନଶୂନ୍ୟ, ପୁଜାମଣ୍ଡପ ଖାଁ ଖାଁ ଲାଗୁଥିଲା । ବାଜା କି ମାଇକି ବାଜୁନଥିଲା ବା ଉଜ୍ଜଳ ଆଲୋକ ମାଳାରେ ତୋରଣ ଝଲସୁନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କୁମାର ପୂର୍ଣ୍ଣିମା ୩୧ ଅକ୍ଟୋବର , ଦୀପାବଳୀ ୧୪ ନଭେମ୍ବର ଉସôବ ମହାମାରୀ ଜନିତ ଦୃଢକଟକଣା ଯୋଗୁଁ ପୂର୍ବ ବର୍ଷ ମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ହୋଇପାରିଲା ନାହିଁ । ଦୀପାବଳି ପାଇଁ ବାଣ ବିକ୍ରି ଓ ବାଣ ଫୁଟା ଉପରେ କଟକଣା ରହିଥିଲା ।ତେଣୁ ଦୀପାବଳିରେ ଏଥର ବାଣ ଫୁଟାର ଢୋ ଢା ଶବ୍ଦ ଶୁଣିବାକୁ ମିଳିନଥିଲା ।
ଚଳିତ ବର୍ଷ କଟକରେ ହୋଇ ପାରିଲାନି ପ୍ରସିଦ୍ଧ ବାଲିଯାତ୍ରା । ଏହାଛଡା ପାରାଦ୍ୱୀପ ଠାରୁ ଆରମ୍ଭ କରି ଚିଲିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଉଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଏବର୍ଷ ଫିକା ପଡିଲା । ସେହିପରି ଧବଳେଶ୍ୱରରେ ବି ବଡଓଷା ଉସôବ ପାଳନକୁ ଅନୁମତି ମିଳିନଥିଲା । ବଡଓଷା ନୀତି ପାଳନ ହେବ କିନ୍ତୁ ଲୋକଙ୍କୁ ମନ୍ଦିର ଯିବାକୁ ମନାଥିଲା ।ଏପରିକି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାର ଐତିହାସିକ ଭୁବନ ବଳଦ ଯାତ୍ରା ମଧ୍ୟ ଏଥିରୁ ବାଦ୍ ପଡିନି ।
କେଉଁ ଆବହମାନ କାଳରୁ ଢେଙ୍କାନାଳ ଜିଲ୍ଲା ତଥା ଏସିଆ ମହାଦେଶର ସର୍ବବୃହତମ ଗ୍ରାମ ଭୁବନରେ ଥୋରିଆ ସମାଜ ପରମ୍ପରାରେ କରୋନା କଟକଣା ଆଣିଥିଲା ପରିବର୍ତ୍ତନ । କେବଳ ସେତିକି ନୁହେଁ , କରୋନା ମାଡରେ ଆଗାମୀ ବଡଦିନ ଓ ନୂଆବର୍ଷ ପାଳନ ମଧ୍ୟ ଫିକା ପଡିବା ଏକ ପ୍ରକାର ନିଶ୍ଚିତ । ମୋଟା ମୋଟି ଭାବେ ଏଥର ଶାରଦୀୟ ପର୍ବପର୍ବାଣି ଓ ବିଭିନ୍ନ ଉସôବ କରୋନା ଯୋଗୁଁ ଫିକା ପଡିଛି । କରୋନା ବଦଳାଇ ଦେଇଛି ଆମ ସଂସ୍କୃତି ଓ ପରମ୍ପରା । ଏଇଠି ମନେପଡୁଛି ୧୦୦ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ୍ ଫ୍ଲୁ’ର କଥା । ସେହି ସମୟରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିଲା ଚଳିତ ବର୍ଷ ସେହି ଇତିହାସର ପୂନରାବୃତ୍ତି ଘଟିଛି । ତଥାପି ଜୀବନ ଆମପାଇଁ ସବୁବେଳେ ବଡ । ଏକଥା ଆମକୁ ବୁଝିବାକୁ ହେବ ।
କିନ୍ତୁ ଶ୍ରୀମନ୍ଦିର ଖୋଲିବା କଥା ସବୁଠୁ ନିଆରା । ଓଡିଆ ଜାତିର ଆରାଧ୍ୟ ଦେବତା କାଳିଆ ଠାକୁର । ଭାବବିନୋଦିଆ ଠାକୁର ସେ । ଭକ୍ତ ପାଇଁ ସେ ସବୁ କିଛି କରିପାରନ୍ତି । କେଉଁଠି ଭକ୍ତ ଦାସିଆ ପଠାଇଥିବା ନଡିଆନେବା କଥା ହେଉ, ବା ଭକ୍ତ ସାଲବେଗ କଥା ହେଉ ବା ଭକ୍ତ ବଳରାମ ଦାସଙ୍କ ପାଇଁ ରଥ ଅଟକିବା ହେଉ, ସବୁଠି ତାଙ୍କ ଅଲୈାକିକ ଲୀଳା । ସେଇଥିପାଇଁ ତ ସେ ଭାବର ଠାକୁର । ତାଙ୍କ ଲୀଳା କେବଳ ସେ ଜାଣନ୍ତି । ଶେଷ ମୁହୂର୍ତ୍ତରେ ଚଳିତ ବର୍ଷ ରଥଯାତ୍ରା ବିନା ଭକ୍ତରେ କରିବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଅନୁମତି ଦେବା ସେଇ ଲୀଳାର ଏକ ଅଂଶ । ସେ ଯାହାହେଉନା କାହଁକି, ଶ୍ରୀମନ୍ଦିର ୩ ତାରିଖରୁ ସାଧାରଣରୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ମାସ୍କ, ହାତ ସାନିଟାଇଜର, ସାମାଜିକ ଦୂରତା ରଖିବା ସହ ୩ତାରିଖରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ କୋଭିଡ ନେଗେଟିଭ୍ ପ୍ରମାଣପତ୍ର ଆଣିବାରେ ସହେଯାଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏବେ ସବୁଠି ଖୁସିର ଲହରୀ । ଆଉ ରହିବନି ଭକ୍ତ ଓ ଭକ୍ତବାନଙ୍କ ମଧ୍ୟରେ ବାଧା । କଳା ଠାକୁର କରୋନା ମୁକ୍ତ ବିଶ୍ୱ ପାଇଁ ତାଙ୍କ ଅଧାଗଢା ଦୁଇ ହାତକୁ ପ୍ରସାରିତ କରନ୍ତୁ ଏତିକି କାମନା ।