Odisha news

ସୁଧୁରିବ ଯେବେ ବ୍ୟକ୍ତି ପରିବାର

0

ଯଦୁମଣି ପାଣିଗ୍ରାହୀ  : ଜୀବନର ପ୍ରତି ମୁହୂର୍ତ୍ତକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ମଣିଷ ନିଜ ହାତରେ ତିଆରି କରିଥିବା ସମାଜ ଆଜି ନାନାଭାବେ ବିଶୃଙ୍ଖଳିତ ଓ ବିପର୍ଯ୍ୟସ୍ତ । ଧୀରେ ଧୀରେ ଭୁଷୁଡି ପଡିବାକୁ ବସିଛି ସମାଜର ଶାନ୍ତି, ସୁରକ୍ଷା, ନିରାପତ୍ତା ଓ ସୁସ୍ଥ ସହାବସ୍ଥାନର ଭିତ୍ତିଭୂମି । ବ୍ୟକ୍ତି ଜୀବନ ଠାରୁ ପୁଣି ପାରିବାରିକ ଓ ସାମାଜିକ ଜୀବନରେ ଅଶାନ୍ତି ଓ ବିଶୃଙ୍ଖଳାର କଳାବାଦଲ ଛାଇ ଯାଇଛି ଯେମିତି । ବ୍ୟକ୍ତି ଜୀବନରୁ ଆଜି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର କଳା ଉଭେଇ ଯାଇଛି । ସ୍ୱାର୍ଥ ପାଖରେ ବନ୍ଧା ପଡିଛି ମଣିଷର ବୁଦ୍ଧି, ବିବେକ ଓ ମଣିଷ ପଣିଆ । ନିଜକୁ ସଭ୍ୟ ଓ ଶିକ୍ଷିତର ନାରା ଦେଉଥିବା ମଣିଷ ଆଜି ଇତର ଜୀବ ମାନଙ୍କର ସ୍ୱଭାବ ଓ ପ୍ରକୃତି ଆଗରେ ମଳିନ ଓ ନିଷ୍ପ୍ରଭ ପଡିଯାଇଛି । ଭଲ ପାଠ ପଢିବା, ଉଚ୍ଚ ପଦପଦବୀ ମଣ୍ଡନ କରିବା ଓ ଭଲ ରୋଜଗାର କରି ଜୀବନକୁ ମନ ଭରି ଉପଭୋଗ କରିବାକୁ ଶ୍ରେୟ ମଣୁଥିବା ଆଜିର ବ୍ୟକ୍ତି ଚରିତ୍ରରେ ନୀତି ନୈତିକତାର ଚରମ ଅଧପତନ ପରିଲକ୍ଷିତ ହେଉଛି । ତା’ର ଦୈନନ୍ଦିନର କାର୍ଯ୍ୟକଳାପ ଓ ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନକୁ ଦେଖିଲେ ବଡ ଆଶ୍ଚର୍ଯ୍ୟ ଲାଗେ ସତରେ ।

ସାମାଜିକ ରୀତିନୀତି, ସଂସ୍କୃତି ଓ ପରମ୍ପରାକୁ ଅହରହ ପାଦରେ ଦଳିମକଚି ନଷ୍ଟ କରୁଥିବା ମଣିଷ ବାହାରକୁ ଯେତେ ଦମ୍ଭ ଓ ଅହମିକା ଦେଖାଇଲେ ମଧ୍ୟ ଭିତରେ ଭିତରେ ଯେ ସେ ବେଶ୍ ଦୁଃଖି ଓ ଅସହାୟ ଏକଥା ସ୍ପଷ୍ଟ ବାରି ହୋଇ ପଡୁଛି । ପରିବାରର ଗୁରୁଜନ ଓ ଲଘୁଜନଙ୍କୁ ସର୍ବଦା ହତାଦର କରୁଥିବା ଓ ସେମାନଙ୍କ ପ୍ରତି ହୀନମନ୍ୟତା ପ୍ରଦର୍ଶନ କରୁଥିବା ବ୍ୟକ୍ତିଟିଏ ସାମାଜିକ ଜୀବନରେ ବି ସ୍ୱେଚ୍ଛାଚାରୀ ଓ ଅହଙ୍କାରୀ ମଣିଷର ଆଚରଣ ପ୍ରଦର୍ଶନ କରେ ଏକଥା ନିଃସନେ୍ଦହ । ବ୍ୟକ୍ତିଗତ ସୁଖଶାନ୍ତି ବ୍ୟାହତ ହେବା ଆଶଙ୍କାରେ ମଣିଷ ଯେଉଁଦିନ ପାରିବାରିକ ସ୍ନେହ ମମତାର ବନ୍ଧନକୁ ଛିଡାଇ ଏକା ଏକା ଚଳିିବାର ଆସ୍ପର୍ଦ୍ଧା ପ୍ରଦର୍ଶନ କଲା, ସେହିଦିନ ଠାରୁ ଯୌଥ ପରିବାରର ଭିତ୍ତିଭୂମି ଭାଙ୍ଗିରୁଜି ଛାରଖାର ହୋଇଯାଇଛି । କେତେବେଳେ ପିଲାଙ୍କୁ ପାଠ ପଢାଇବାର ବାହାନା ତ କେତେବେଳେ କର୍ମସଂସ୍ଥାନର ଆଳ ଦେଖାଇ ମଣିଷ ପରିବାରର ବୟସ୍କ ପିତାମାତା ,ସାନ ଭାଇଭଉଣୀ, ଗାଁ ମାଟି ଓ ସାଙ୍ଗସାଥୀଙ୍କୁ ସାତପର କରି ଦୂରେଇ ଯିବାକୁ ସୁଚିନ୍ତିତ ଯୋଜନା କରି ବସୁଛି ତ ପୁଣି କେତେବେଳେ ପରିବାର ଭିତରେ ରହି କେବଳ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କ ସୁନେଲୀ ଭବିଷ୍ୟତର ସ୍ୱପ୍ନରେ ବିଭୋର ହେଉଛି ।

ବ୍ୟକ୍ତି ଚରିତ୍ରରେ ଆଜି ଦେଖା ଦେଇଥିବା ଚରମ ଅଧୋଗତିର କୁପ୍ରଭାବ ପାରିବାରିକ ଜୀବନକୁ ଗୁରୁତର ପ୍ରଭାବିତ କରୁଛି । ପାରିବାରିକ ଜୀବନରେ ପୂର୍ବର ସେ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇପାଇବା ଆଉ ନାହିଁ । ଏକ ମନ ହୋଇ ଚଳିବା କିମ୍ବା ଅନ୍ୟମାନଙ୍କ ପ୍ରତି ସମଦର୍ଶୀ ମନୋଭାବ ପୋଷଣ କରିବାର ମାନସିକତା ଦୂରେଇ ଗଲାଣି । ପରିବାରର ବୟସ୍କ ଗୁରୁଜନ, ପିତାମାତାଙ୍କ ପ୍ରତି ଭୟ କି ସମ୍ମାନ ଆଉ ନାର୍ହି କି ସାନ ମାନଙ୍କ ପ୍ରତି ଶ୍ରଦ୍ଧା ଓ ଅନୁରାଗ ଆଉ ନାହିଁ । ଗୋଟିଏ ଛପର ତଳେ ରହି ବି ନିଜ ଚିନ୍ତାରେ ବ୍ୟସ୍ତ ସମସ୍ତେ । ପରିବାରର ପୁଅ, ର୍ଝିଅଙ୍କ ଓøଦ୍ଧତ୍ୟ ଓ ଉଚ୍ଛୃଙ୍ଖଳତା ଆଜି ସୀମା ଟପିଗଲାଣି । ସେମାନେ ପାରିବାରିକ ନୀତି ନିୟମ ଓ ଅନୁଶାସନ ଭିତରେ ରହିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଇ ଅଧିକାଂଶ ପିତାମାତା ଓ ଗୁରୁଜନ ଅସହାୟ ବୋଧ କରୁଛନ୍ତି ।

ଆଜି ଅଧିକାଂଶ ପରିବାରରେ ପିତାମାତା ଓ ଗୁରୁଜନ ଅବହେଳିତ ଓ ନିର୍ଯାତିତ । ପରିବାରରେ ସେମାନଙ୍କ ଉପସ୍ଥିତିକୁ ସହ୍ୟ କରିବା ପରିସ୍ଥିତିରେ କେହି ନାହାନ୍ତି । ଖୁବ ଶିକ୍ଷିତ ଓ ସଚେତନ ପରିବାରରେ ଆଜି ଏହି ଅବସ୍ଥା । ଏଭଳି ସ୍ଥିତିରେ ଅନେକ ପିତାମାତା ମଠ, ମନ୍ଦିର କିମ୍ବା ଜରା ନିବାସରେ ପରିଣତ ବୟସ କାଟି ଦେବାକୁ ଶ୍ରେୟ ମଣିବା ସ୍ୱାଭାବିକ କଥା । ପିଲାମାନଙ୍କୁ ଆବଶ୍ୟକ ଶିକ୍ଷା ସଂସ୍କାର ପ୍ରଦାନ ଅଭାବରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ପିତାମାତା ପିଲାଙ୍କୁ ପ୍ର୍ରତ୍ୟେକ୍ଷ ଅଭିଜ୍ଞତାରୁ ଶିକ୍ଷା ପ୍ରଦାନ କରନ୍ତୁ । ସେମାନଙ୍କୁ ସର୍ବଦା ପରିବାର, ସମାଜ ଓ ରାଷ୍ଟ୍ର ପ୍ରତି ସେମାନଙ୍କ କର୍ତ୍ତବ୍ୟ କ’ଣ ହେବା ଉଚିତ ସେଥିପ୍ରତି ସଚେତନ କରାନ୍ତୁ । ଶୃଙ୍ଖଳା, ସଂଯମତା ଓ ସହନଶୀଳତାର ଗୁଣ ଶିଖାନ୍ତୁ । ସେମାନଙ୍କ ପ୍ରତିଟି ଇଛା ପୂରଣ କରିବା ପୂର୍ବରୁ ଏହାର ଯଥାର୍ଥତା ପରଖି ନିଅନ୍ତୁ । ସେମାନଙ୍କୁ ଦାମୀ ଓ ଆକର୍ଷଣୀୟ ପୋଷାକ କିଣି ଦେବା ବେଳେ ସେମାନଙ୍କୁ ଲଜ୍ଜା ଓ ସଙ୍କୋଚର ପରିଭାଷା ବୁଝାଇ ଦେବାରେ ପିତାମାତାଙ୍କର ଭୁଲ ରହିଲା କେଉଁଠି ? ଦାମୀ ହୋଟେଲ ଓ ରେଷ୍ଟୁରାଣ୍ଟରେ ପିଲାଙ୍କୁ ସୁଆଦିଆ ଖାଦ୍ୟ ଖୁଆଇବା ବେଳେ ପେଟ ଚାଖଣ୍ଡକ ପାଇଁ ଅନ୍ୟର ଅଇଁଠା ପତ୍ର ଉଠାଉଥିବା ପିଲାଟି ପ୍ରତି ସେମାନଙ୍କ କର୍ତ୍ତବ୍ୟ କ’ଣ ରହିବ ସେଥିନେଇ ସଚେତନ କରିବାର ଆବଶ୍ୟକତା ନାହିଁ କି?

ସେହିପରି ସେମାନଙ୍କୁ ଦାମୀ ସ୍କୁଲ କଲେଜରେ ପାଠ ପଢାଇ ଉଚ୍ଚ ପଦପଦବୀରେ ଆସୀନ କରାଇବା ଓ ଭଲ ଉପାର୍ଜନ କରିବାର ମାର୍ଗ ଦର୍ଶନ କରୁଥିବା କେତେ ଜଣ ପିତାମାତା ପରିବାରର ଅନ୍ୟମାନଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟ ଓ ସାମାଜିକ ଦାୟବଦ୍ଧତାର ଶିକ୍ଷା ସେମାନଙ୍କ ପିଲାମାନଙ୍କୁ ପ୍ରଦାନ କରୁଛନ୍ତି । ପିଲାଙ୍କ ଇଛାକୁ ସମ୍ମାନ ଜଣାଇ ବିନା ଦ୍ୱିଧାରେ ଗାଡି ଓ ଦାମୀ ମୋବାଇଲ ଯୋଗାଇ ଦେଉଥିବା ପିତାମାତା ଏହାର ସଦ୍ବ୍ୟବହାର ନେଇ କେବେ ସେମାନଙ୍କୁ ସତ୍ ପରାମର୍ଶ ଦେଉଛନ୍ତି କି? ଅନ୍ୟପକ୍ଷେ ନିହାତି ଗରିବ ଓ ମଧ୍ୟବିତ୍ତ ପରିବାରର ପିତାମାତା ସେମାନଙ୍କ ପିଲାମାନଙ୍କ ଲାଳନପାଳନ, ପୋଷାକପତ୍ର ,ଚିକିତ୍ସା ଓ ପାଠ ପଢା ଖର୍ଚ୍ଚ ଉଠାଇବାକୁ ଯାଇ ସେମାନଙ୍କୁ କେମିତି ମୁଣ୍ଡ ଝାଳ ତୁଣ୍ଡରେ ମାରିବାକୁ ପଡୁଛି ତା’ର ପ୍ରତ୍ୟେକ୍ଷ ଚିତ୍ର ସେମାନଙ୍କୁ ଦେଖାଇବାରେ ଅଡୁଆ ରହିଲା କେଉଁଠି ।

କେତେଜଣ ପିତାମାତା ସେମାନଙ୍କ ପିଲାଙ୍କ ଆଗରେ ପୁରାଣଶାସ୍ତ୍ର ଓ ଇତିହାସର ଶିକ୍ଷଣୀୟ କାହାଣୀ ଓ ମହାପୁରୁଷଙ୍କ ଜୀବନ ଦର୍ଶନ ଓ ସେମାନେ ଦେଇ ଯାଇଥିବା ନୀତି ଶିକ୍ଷା ଉପସ୍ଥାପିତ କରିବାକୁ ସକ୍ଷମ ହୋଇଛନ୍ତି । ପରର ଉପକାର କରିବାକୁ ଯାଇ ପୃଥିବୀ ଓ ସୂର୍ଯ୍ୟ କିପରି ଶସ୍ୟ ଓ କିରଣ ପ୍ରଦାନ କରି ଚାଲିଛନ୍ତି ସେ ସମ୍ପର୍କରେ କେତେଜଣ ପିତାମାତା ସେମାନଙ୍କ ପିଲାମାନଙ୍କୁ ଅବଗତ କରାଇଛନ୍ତି । ମନେ ରଖିବାକୁ ହେବ ଯେ, ବ୍ୟକ୍ତି ଚରିତ୍ରରେ ସୁଧାର ଆସିଲେ ପରିବାର ଉପରେ ଏହା ପ୍ରତିଫଳିତ ହେବ । ଆଜି ସମାଜରେ ହତ୍ୟା, ଦୁଷ୍କର୍ମ, ଦୁର୍ନୀତି, ଦୂରାଚାରର ପ୍ରକୋପ ବଢିବାରେ ଲାଗିଛି । ସେବା, ଦୟା, କ୍ଷମା ଓ ପରୋପକାର ଭଳି ମହାନ ଗୁଣ ଆଜି ଲୋକଙ୍କ ଭିତରୁ ହଜି ଗଲାଣି ।

ଅନ୍ୟର ଦୁଃଖରେ ସହଭାଗୀ ହେବା, ବିପଦରେ ସହାୟତାର ହାତ ବଢାଇବା, ସମସ୍ୟାରେ ଛନ୍ଦି ହୋଇ ପଡିଥିବା ମଣିଷ ପାଖରେ ଛିଡା ହୋଇ ସାନ୍ୱନା ମୂଳକ କଥା ପଦେ କହିବାର ସାହସ ଯେମିତି ମଣିଷ ପାଖରେ ନାହିଁ । ଏମିତି ମିଛ ଅହମିକା ଓ ଦମ୍ଭ ଦେଖାଇ ଆଉ କେତେଦିନ ନିଜକୁ ଠକୁଥିବା । ଆଉ ଡେରି କରିବାର ପ୍ରୟୋଜନ ନାହିଁ । ଚାଲନ୍ତୁ ବ୍ୟକ୍ତି ଜୀବନକୁ ସୁଧାରିବାର ପ୍ରୟାସ ଆରମ୍ଭ କରିଦେବା । ପରିବାରକୁ ଉତ୍ତମ ଶିକ୍ଷା ଓ ସଂସ୍କାରର ପ୍ରୟୋଗଶାଳା ମନେ କରି ସେଇଠୁଁ ସୁମଣିଷ ତିଆରି କରିବାର ଯୋଜନା ପ୍ରସ୍ତୁତ କରିବା । ପରିବାର ସୁଧୁରିଗଲେ ସମାଜ ଆପେ ଆପେ ସୁଧୁରି ଯିବ । ସେଥିପାଇଁ କୁହାଯାଇଛି-ସୁଧୁରିବ ଯେବେ ବ୍ୟକ୍ତି ପରିବାର, ତେବେ ଯାଇ ହେବ ସମାଜ ସୁଧାର ।

Leave A Reply